ବାକ୍‌ ସ୍ବାଧୀନତା ଓ ଅଦାଲତ ଅବମାନନା ଭିତରେ କ୍ଷୀଣ ସୀମାରେଖା ରହିଛି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ୨୦୦୯ ମସିହାରେ ଆଗତ ଏକ ଅଦାଲତ ଅବମାନନା ମାମଲାର ଆଜି ଚୂଡ଼ାନ୍ତ ଶୁଣାଣି କରି ବାକ୍ ସ୍ବାଧୀନତା ଓ ଅଦାଲତ ଅବମାନତା ମଧ୍ୟରେ ଅତି କ୍ଷୀଣ ସୀମାରେଖା ରହିଛି ବୋଲି ସୁପ୍ରିମ୍‌ କୋର୍ଟ ଆଜି ଟିପ୍ପଣୀ କରିଛନ୍ତି। ଅର୍ଥାତ୍ ବାକ୍‌ ସ୍ବାଧୀନତାରେ ସାମାନ୍ୟତମ ସୀମା ଲଂଘିଗଲେ ତାହା ଅଦାଲତ ଅବମାନନାକୁ ଆମନ୍ତ୍ରଣ କରିବାର ଆଶଙ୍କା ରହିଛି ବୋଲି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ବରେ ପରିଚାଳିତ ତିନିଜଣିଆ ଖଣ୍ଡପୀଠ ପରୋକ୍ଷରେ ସତର୍କ କରାଇ ଦେଇଛନ୍ତି।

ସୂଚନା ଥାଉ କି, ୨୦୦୯ ମସିହାରେ ଅନୁସନ୍ଧାନକାରୀ ପତ୍ରିକା ତେହେଲକାକୁ ପ୍ରଶାନ୍ତଭୂଷଣ ଏକ ସାକ୍ଷାତକାର ଦେବା ଅବସରରେ ଭାରତର ପୂର୍ବତନ ୧୬ ଜଣ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ମଧ୍ୟରୁ ଅର୍ଦ୍ଧେକ ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ ଆଣିଥିଲେ। ଏଥିରେ କ୍ଷୋଭ ପ୍ରକାଶ କରି ମାନ୍ୟବର ଶୀର୍ଷ ଅଦାଲତ ପ୍ରଶାନ୍ତ ଭୂଷଣଙ୍କ ସମେତ ତେହେଲକା ମୁଖ୍ୟ ତେଜପାଲଙ୍କ ପାଖକୁ ଅଦାଲତ ଅବମାନନା ନୋଟିସ ପଠାଇଥିଲେ। ଏହି ମାମଲାର ଆଜି କନ୍‌ଫରେନ୍ସିଂ ମାଧ୍ୟମରେ ସଂଘଟିତ ଚୂଡ଼ାନ୍ତ ଶୁଣାଣିରେ ଆଇନଜୀବୀ ରାଜୀବ ଧାଵନ ପ୍ରଶାନ୍ତଭୂଷଣଙ୍କ ପକ୍ଷ ରଖିଥିବା ବେଳେ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ସିବଲ ତେଜପାଲଙ୍କ ପ୍ରତିନିଧିତ୍ବ କରିଥିଲେ। ଏହି ଅବସରରେ ଖଣ୍ଡପୀଠ ଧଵନଙ୍କୁ କହିଥିଲେ ଯେ ସେମାନଙ୍କୁ ଗୋଟିଏ ପଟେ ଜଣଙ୍କର କଥା କହିବାର ଅଧିକାରକୁ ସାବ୍ୟସ୍ତ କରିବାକୁ ଥିଲା ବେଳେ ଅନ୍ୟ ପଟେ ଏକ ଅନୁଷ୍ଠାନ ଭାବରେ ନ୍ୟାୟପାଳିକାର ମର୍ଯ୍ୟାଦାର ସୁରକ୍ଷା ପାଇଁ ମଧ୍ୟ ଯତ୍ନଶୀଳ ହେବା ଜରୁରୀ।

ସମ୍ବନ୍ଧିତ ଖବର