ଭାରତରେ ୨୪ ଘଣ୍ଟାରେ ୩୪ ମୃତ, ୯୦୯ ଆକ୍ରାନ୍ତ; ଆକ୍ରାନ୍ତ ସଂଖ୍ୟା ୮୪୪୭ରେ ପହଞ୍ଚିଲା
ମୁମ୍ବାଇ ତାଜ୍ ହୋଟେଲର ୬ ଜଣଙ୍କୁ କରୋନା
ନୂଆଦିଲ୍ଲୀ : ପୂରା ବିଶ୍ବରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବା କରୋନା ଭାଇରସ୍ର ପ୍ରକୋପ ଏବେ ଭାରତରେ ବି ବଢ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୩୪ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୯୦୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହା ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୭ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଦେଶରେ ୨୭୩ ଜଣ କରୋନାରେ ପ୍ରାଣ ହରାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଭାରତରେ ଆଜି ୨୧ ଦିନିଆ ଲକ୍ଡାଉନ୍ର ୧୯ ତମ ଦିବସ ଥିବା ବେଳେ ଅନେକ ରାଜ୍ୟ ଲକ୍ଡାଉନ୍ ଅବଧି ବଢ଼ାଇ ସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନରେ କରୋନା ଭାଇରସରେ ଆଉ ୯୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୩୫ ଜଣ ଜୟପୁରର ବୋଲି ଜଣାପଡ଼ିଛି। ରାଜ୍ୟରେ ମୋଟ ମାମଲା ୭୯୬ରେ ପହଞ୍ଚିଛି। କରୋନାର ଅନ୍ୟତମ ହଟ୍ସ୍ପଟ୍ ଇନ୍ଦୋରରେ ଆଜି ୪୯ଟି ନୂଆ ମାମଲା ଆସିବାରୁ ଆତଙ୍କ ଖେଳିଯାଇଛି। ସହରରେ ମୋଟ ମାମଲା ୨୯୮ରେ ପହଞ୍ଚିଛି ଏବଂ ମୃତକଙ୍କ ସଂଖ୍ୟା ୩୨ ଛୁଇଁଛି। ଇନ୍ଦୋରରେ ୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଛି। ପଶ୍ଚିମବଂଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪ ରହିଛି ଏବଂ ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କର୍ଣ୍ଣାଟକରେ କରୋନାର ୧୧ଟି ନୂଆ ମାମଲା ଆଜି ସାମ୍ନାକୁ ଆସିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୩ରେ ପହଞ୍ଚି। ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଆଜି କରୋନାର ୧୩୪ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିରୁ କେବଳ ମୁମ୍ବାଇରେ ୧୧୩ଟି ମାମଲା ଠାବ ହୋଇଛି। ମହାରାଷ୍ଟ୍ରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ଏବଂ ୧୨୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଆଜି ନାଗପୁରରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୯ରେ ପହଞ୍ଚିଛି ଏବଂ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୬୭୦ରେ ପହଞ୍ଚିଛି ଏବଂ ୧୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶରେ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି । ଚଣ୍ଡିଗଡ଼ରେ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜମ୍ମୁ କାଶ୍ମୀରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭ରେ ପହଞ୍ଚିଛି।
ମୁମ୍ବାଇ ତାଜ୍ ହୋଟେଲର ୬ ଜଣଙ୍କୁ କରୋନା
ମୁମ୍ବାଇ : ଦକ୍ଷିଣ ମୁମ୍ବାଇ ସ୍ଥିତ ତାଜ୍ ମହଲ ପ୍ୟାଲେସ୍ ହୋଟେଲର ୬ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଘଟଣା ପ୍ରଶାସନର ଚିନ୍ତା ବଡ଼ାଇଦେଇଛିା ସମ୍ପ୍ରତି ଦେଶବିଦେଶର ଅତିଥି ଅଭ୍ୟାଗତଙ୍କ ଗମନାଗମନ ସମ୍ପୂର୍ଣ ବନ୍ଦ ଥିବା ବେଳେ ସଂପୃକ୍ତ ହୋଟେଲ କର୍ମଚାରୀଙ୍କୁ କିପରି କୋଭିଡ୍ ସଂକ୍ରମଣ ହେଲା ତାହା ମୁଣ୍ତବଥାର କାରଣ ସାଜିଛିା ହୋଟେଲରେ ଏବେ କୌଣସି ଅତିଥି ଅବସ୍ଥାନ କରୁନଥିବା ବେଳେ କେବଳ ସୀମିତ ସଂଖ୍ୟକ କର୍ମଚାରୀ ହିଁ ରକ୍ଷଣାବେକ୍ଷଣ ଦାୟିତ୍ବ ବୁଝୁଛନ୍ତିା ଏଥିରେ ହୋଟେଲର କିଛି ହାଉସ୍ କିପିଂ ଷ୍ଟାଫ୍ ନିୟୋଜିତ ଅଛନ୍ତିା ଏହି ୬ ଜଣ ଯାକ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।