ଯଥାଶୀଘ୍ର ଏସ-୪୦୦ ଯୋଗାଇବାକୁ ପୁଟିନଙ୍କୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ଭାରତ ଏକା ସମୟରେ ପାକିସ୍ତାନ ଓ ଚୀନପଟୁ ଆକ୍ରମଣ ସମ୍ମୁଖୀନ ହେବା ଆଶଙ୍କା ସତ ପ୍ରମାଣିତ ହେବାରେ ଲାଗିଛି । ଗତ କିଛି ସପ୍ତାହ ହେଲା ଚୀନ ସହ ଉତ୍ତେଜନା ଜାରି ରହିଥିବାବେଳେ ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ପାଇଁ ନିଜ ସେନାର ଶକ୍ତି ବଢାଇବା ଛଡ଼ା ଆଉକିଛି ଉପାୟ ନାହିଁ । ବିଶେଷକରି ଏହି ଜରୁରୀ ପରିସ୍ଥିତିରେ ଋଷ ନିର୍ମିତ ଏସ-୪୦୦ ଟ୍ରିୟମ୍ପ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ବଢିଯାଇଛି । କାରଣ ଲଦାଖରେ ଥିବା ଏଲଏସି ନିକଟରେ ଚୀନ ନିଜର ଏସ-୩୦୦ କୁ ମୁତୟନ କରିଛି । ଏହାର ମୁକାବିଲା ଲାଗି ଭାରତ ନିଜର ଏସ-୪୦୦ ଚାହୁଁଛି ।

ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଟେଲିଫୋନ ଆଲୋଚନା ସମୟରେ ଏସ-୪୦୦ ଯୋଗାଣ ପ୍ରସଙ୍ଗ ଉଠିଥିବା କୁହାଯାଉଛି । ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ଏସ-୪୦୦ର ଯୋଗାଣକୁ ତ୍ବରାନ୍ବିତ କରିବାକୁ ମୋଦୀ ପୁଟିନଙ୍କୁ ଅନୁରୋଧ କରିଛନ୍ତି ।

ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମସ୍କୋ ଗସ୍ତ କାଳରେ ମଧ୍ୟ ଏସ-୪୦୦ର ଯୋଗାଣ ଯଥାଶୀଘ୍ର କରିବାକୁ ସେ ଅନୁରୋଧ କରିଥିଲେ ।

ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା) ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ । କିନ୍ତୁ କରୋନା ମହାମାରୀ ଯୋଗୁଁ ଡେଲିଭରୀ ବିଳମ୍ବ ହେବ ବୋଲି ଋଷିଆ ଭାରତକୁ କିଛି ମାସ ତଳେ କହିଥିଲା । କିନ୍ତୁ ଭାରତର ଅନୁରୋଧ ପରେ ଏହାକୁ ଶୀଘ୍ର ଯୋଗାଇବାକୁ ଋଷିଆ ରାଜି ହୋଇଛି ।

ସମ୍ବନ୍ଧିତ ଖବର