ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ନୁହେଁ, ରୋଗର ଭୟାବହତା ସାମାନ୍ୟ: କୋଭିଡ୍ ପ୍ୟାନେଲ ମୁଖ୍ୟ

Increasing infections is not a cause for concern

ହାଇଦ୍ରାବାଦ: ସମ୍ପ୍ରତି ସାରା ଦେଶରେ ହୁହୁ ହୋଇ ଓମିକ୍ରନ୍-ଜନିତ ସଂକ୍ରମଣ ବଢ଼ିଚାଲିଛି। ମାତ୍ର ସଂକ୍ରମଣ ସଂଖ୍ୟାକୁ ନେଇ ସରକାର କୌଣସି ନୀତିଗତ ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଆଇଦ୍ରାବାଦ ଆଇଆଇଟି ପ୍ରଫେସର ତଥା ନ୍ୟାସନାଲ କୋଭିଡ୍-୧୯ ସୁପରମଡେଲ କମିଟି ମୁଖ୍ୟ ଡ. ଏମ୍ ବିଦ୍ୟାସାଗର କହିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଡ. ବିଦ୍ୟାସାଗର କହିଛନ୍ତି ଯେ ଏ ସଂକ୍ରମଣ ସଂଖ୍ୟାର ମାନେ କିଛି ନାହିଁ କାରଣ ସଂକ୍ରମିତ ବ୍ୟକ୍ତିଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉ ନାହିଁ। ମାତ୍ରାଧିକ ମ୍ୟୁଟେଟେଡ୍ କରୋନାଭାଇରସ୍ ଟିକା-ଜନିତ ପ୍ରତିରୋଧକତା ଏବଂ ସଂକ୍ରମଣ-ଜନିତ ପ୍ରାକୃତିକ ପ୍ରତିରୋଧକତାକୁ ଭେଦ କରି ଲୋକକୁ ସଂକ୍ରମିତ କରୁଛି। ତେଣୁ ଯେତେ ଟିକା ନେଲେ ବା ଯାହା କଲେ ବି ଏ ସଂକ୍ରମଣକୁ ରୋକିହେବ ନାହିଁ। କୌଣସି ପ୍ରକାର ଲକ୍‌ଡାଉନ୍, ସଟ୍‌ଡାଉନ୍ ଓ ସ୍କୁଲ, କଲେଜ, ଅଫିସ ଆଦି ବନ୍ଦ କରିବା ଦ୍ବାରା ମଧ୍ୟ ଏ ଭୂତାଣୁ ସଂକ୍ରମଣକୁ ରୋକିବା ସମ୍ଭବ ନୁହେଁ। ସଂକ୍ରମଣ ବଢ଼ୁଛି ଓ ବଢ଼ିବ। ଏହା ଶୀତଦିନେ ଲୋକଙ୍କୁ ସାଧାରଣ ଥଣ୍ଡା ଧରିବା ପରି ଏକ ସମସ୍ୟା। ଏହାଦ୍ବାରା ରୋଗୀ ଗୁରୁତର ହେଉ ନ ଥିବାରୁ କେବଳ ସଂଖ୍ୟା ଗଣନା କରି ଓ ଲକ୍‌ଡାଉନ୍ ଆଦି କରି ଲୋକଙ୍କ ଭିତରେ ଖାଲି ଭୟ ସଂଚାର କରିବା ସାର ହେଉଛି। ଏହାଦ୍ବାରା ରୋଗ ସଂକ୍ରମଣକୁ ରୋକି ହେବ ନାହିଁ ମାତ୍ର ବନ୍ଦ ଆଦି ଦ୍ବାରା ଯାହା କ୍ଷତି ହେବା କଥା ତାହା ଘଟିବ।

ଡ. ବିଦ୍ୟାସାଗରଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଓମିକ୍ରନ୍ ଲହର ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକାରେ ପ୍ରତି ୧୦୦ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ଭିତରୁ ମାତ୍ର ୧୨ ଜଣ, ଭାରତରେ ବର୍ତ୍ତମାନ ସୁଦ୍ଧା ୩.୫ ଜଣ ଏବଂ ଇଂଲଣ୍ଡରେ ପ୍ରାୟ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଭାରତରେ ପ୍ରତି ୧୦୦ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ଭିତରୁ ମାତ୍ର ୧.୩ ଜଣଙ୍କର ଅମ୍ଳଜାନର ଆବଶ୍ୟକତା ପଡ଼ିଛି। ଅର୍ଥାତ୍ ଭାରତରେ ପ୍ରତି ୧୦୦୦ ଜଣରେ ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଓ ୧୩ ଜଣଙ୍କର ଅକ୍ସିଜେନ୍ ଦରକାର ପଡ଼ିଛି। ହସ୍ପିଟାଲରେ ରହଣି ମଧ୍ୟ ଅତି ସାମାନ୍ୟ- ପ୍ରାୟ ୩ରୁ ୫ ଦିନ। ତେଣୁ ସଂକ୍ରମଣ ସଂଖ୍ୟାକୁ ଦେଖି ସରକାର ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ଡ. ବିଦ୍ୟାସାଗର କହିଛନ୍ତି।

ସମ୍ବନ୍ଧିତ ଖବର