୨୧ ଦିନରେ ଯୁଦ୍ଧ: କିବ୍‌ରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ; ଚାରିପଟୁ ଆକ୍ରମଣ

ଗୋଳାମାଡ଼ରେ ୪ ମୃତ, ୩୫ ଘଣ୍ଟିଆ କର୍ଫ୍ୟୁ, ହସ୍ତୋମେଲ୍‌ରେ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌

କିବ୍‌ : କିବ୍‌ ଦଖଲ ପାଇଁ ରୁଷ୍‌ର ଆକ୍ରମଣ ଜୋରଦାର ହୋଇଛି। ଗତକାଲିଠାରୁ ରୁଷ୍‌ କିବ୍‌ର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ବର୍ଷା କରୁଛି। ରୁଷ୍‌ ବାହିନୀ କିବ୍‌ର ନିକଟତର ହେଉଛନ୍ତି। ରାଜ‌ଧାନୀର ପୂର୍ବ, ଉତ୍ତର ଏବଂ ପଶ୍ଚିମ ଅଂଶରେ ବିଭିନ୍ନ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ ଜୋରଦାର ଆକ୍ରମଣ କରିଛି। ରୁଷ୍ ଏବଂ ୟୁକ୍ରେନ୍‌ ମଧ୍ୟରେ ଚତୁର୍ଥ ରାଉଣ୍ଡ୍‌ କଥାବାର୍ତ୍ତା ଗତକାଲି ସ୍ଥଗିତ ରହିଥିବା ବେଳେ ରୁଷ୍‌ କିବ୍‌ ସ‌ମେତ ଅନ୍ୟାନ୍ୟ ପ୍ରମୁଖ ସହର ଉପରେ ବୋମାବର୍ଷା କରୁଛି। ମଙ୍ଗଳବାର ସକାଳେ କିବ୍‌ରେ ୩ ଥର ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ମଙ୍ଗଳବାର ସକାଳେ ପଶ୍ଚିମ କିବ୍‌ର ଏକ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ରୁଷ୍‌ର ବୋମାବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ସିଆଟୋସିନ୍‌ସ୍କି ଜିଲ୍ଲାରେ ଏକ ୧୬ ମହଲା ବିଶିଷ୍ଟ୍‌ ଆପାର୍ଟମେଣ୍ଟ୍‌ ଉପରେ ରୁଷ୍‌ର ଗୋଳାବର୍ଷା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆପାର୍ଟମେଣ୍ଟ୍‌ କୋଠାରୁ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଜିଲ୍ଲାରେ ଅନ୍ୟ ଏକ ୯ ମହଲା ବିଶିଷ୍ଟ୍‌ ଆପାର୍ଟମେଣ୍ଟ୍‌ ଉପରେ ମଧ୍ୟ ଆକ୍ରମଣ ହୋଇଛି। ମଙ୍ଗଳବାର ସକା‌ଳେ କିବ୍‌ରେ ୪ଟି ଜନବସତି ଅଞ୍ଚଳରେ ଆକ୍ରମଣ ‌ହୋଇଛି। କିବ୍‌ର ପୂର୍ବ, ଉତ୍ତର ଏବଂ ପଶ୍ଚିମରେ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ଘଣ୍ଟାଏ ମଧ୍ୟରେ ପ୍ରବଳ ବୋମାବର୍ଷା ହୋଇଛି।

ପ୍ରବଳ ଗୋଳାବର୍ଷା ମଧ୍ୟରେ କିବ୍‌ରେ ୩୫ ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଛି। ମଙ୍ଗଳବାର ସନ୍ଧ୍ୟା ୮ଟାରୁ କିବ୍‌ରେ କର୍ଫ୍ୟୁ ଲାଗୁ ହେବ ଏବଂ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ଏବେ ବି କିବ୍‌ରେ ରାତ୍ରୀ କର୍ଫ୍ୟୁ ଜାରି ରହିଛି। କର୍ଫ୍ୟୁ ସମୟ‌ରେ ଲୋକମାନେ ବିନା ଅନୁମତିରେ ସହର ଛାଡ଼ି ପାରିବେନି। କିବ୍‌ରେ ଆକ୍ରମଣ ଜାରି ରହିଥିବାବେଳେ ନାଟୋ ନେତାମାନେ ଆଜି କିବ୍‌ ଗସ୍ତରେ ଅଛନ୍ତି। ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ଲୋଭେନିଆ ଏବଂ ଚେକ୍‌ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ମଧ୍ୟ ଆଜି କିବ୍‌ରେ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ଭେଟିବାକୁ ଯାଇଛନ୍ତି। ପୂର୍ବ ୟୁକ୍ରେନ୍‌ର ନିପ୍ରୋ ବିମାନବନ୍ଦରରେ ରୁଷ୍‌ ୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ରନ୍‌ୱେ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ଏବଂ ଟର୍ମିନାଲ୍‌ ବିଲ୍ଡିଂ ବି ଧ୍ବଂସ ହୋଇଛି। ଉତ୍ତର ୟୁକ୍ରେନ୍‌ ଅଞ୍ଚଳ ଚେର୍ନିହିବରେ ମଧ୍ୟ ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ବିମାନ ଆକ୍ରମଣ ନେଇ ଚେର୍ନିହିବରେ ସତର୍କତା କରାଯାଇଛି। ନାଗରିକଙ୍କୁ ସେଲ୍ଟରକୁ ପଳାଇଯିବାକୁ ଅନୁରୋଧ କରାଯାଇଛି। ଇତି ମଧ୍ୟରେ ଯୁଦ୍ଧ ‌ଯୋଗୁଁ ୧୩,୫୦୦ ରୁ ଅଧିକ ରୁଷ୍‌ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ୟୁକ୍ରେନ୍‌ ଦାବି କରିଛି।

ସମ୍ବନ୍ଧିତ ଖବର