ଟାଇଲ୍ସ କମ୍ପାନିରେ ୨୨୦ କୋଟିର କଳାଧନ ଧରିଲା ଆୟକର ବିଭାଗ

ଚେନ୍ନାଇ : ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ ଟାଇଲ୍ସ ଓ ସାନିଟାରୀ ସାମଗ୍ରୀ ଉତ୍ପାଦନକାରୀ କମ୍ପାନି ଉପରେ ଚଢଉ କରାଯାଇ ପ୍ରାୟ ୨୨୦ କୋଟି ଟଙ୍କାର କଳାଧନ ଜବତ ହୋଇଛି ।

ଆୟକର ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ଉକ୍ତ କମ୍ପାନିର ତାମିଲନାଡ଼ୁ, ଗୁଜୁରାଟ, କୋଲକତାରେ  ମୋଟ ୨୦ଟି ଅଫିସରେ ଚଢଉ କରାଯାଇଥିଲା । ଏହି ଚଢଉବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ନଗଦ ୮.୩୦ କୋଟି ଟଙ୍କା ଜବତ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆୟକର ବିଭାଗର ଏହି ଚଢଉବେଳେ କମ୍ପାନିର କୋଟି କୋଟି ଟଙ୍କାର ବେଆଇନ କାରବାର ଧରାପଡ଼ିଥିଲା । ଜିଏସଟି ଠକିବା ପାଇଁ ଅନେକ କାରବାର ଗୁପ୍ତଭାବରେ କରାଯାଉଥିଲା । ଏହା ସହିତ କମ୍ପାନି ପକ୍ଷରୁ ନିଜର ଆୟକୁ କମ କରି ଦର୍ଶାଯାଉଥିଲା । ଚଢଉବେଳେ ଜଣାପଡ଼ିଥିଲା ଯେ କମ୍ପାନି ପକ୍ଷରୁ ପ୍ରାୟ ୫୦ କୋଟି ଟଙ୍କାର କାରବାର କାଗଜପତ୍ରରେ ଦର୍ଶାଯାଇନାହିଁ । କମ୍ପାନିର ଏକ ଗୁପ୍ତ ଅଫିସକୁ ମଧ୍ୟ ଠାବ କରାଯାଇଛି । କମ୍ପାନି ପକ୍ଷରୁ ବିଭିନ୍ନ ସେଲ କମ୍ପାନି ନାମରେ ପ୍ରାୟ ୧୦୦ କୋଟି ଟଙ୍କାର ଆୟ ଦର୍ଶାଯାଇଛି । ଆହୁରି ମଧ୍ୟ ପ୍ରାୟ ୧୨୦ କୋଟିର ଆୟକୁ କମ୍ପାନି ଲୁଚାଇଥିବା ଜଣାପଡ଼ିଛି । ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଆୟକର ଚଢଉ ଜାରି ରହିଥିଲା ।

 

ସମ୍ବନ୍ଧିତ ଖବର