ନୂଆଦିଲ୍ଲୀ: ମେ ମାସରେ ପାକିସ୍ତାନ ସହ ସଂଘର୍ଷରେ ଲଢୁଆ ବିମାନ ହରାଇଥିବା କଥା ପ୍ରଥମ ଥର ପାଇଁ ଭାରତୀୟ ସେନା ସ୍ବୀକାର କରିଛି। ଭାରତୀୟ ସଶସ୍ତ୍ର ବାହିନୀର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନୀଲ ଚୌହାନ ଶନିବାର ସିଙ୍ଗାପୁରରେ ଶାଙ୍ଗ୍ରି-ଲା ଡାଏଲଗ୍ରେ ଯୋଗଦେଇ ବ୍ଲୁମ୍ବର୍ଗ ଟିଭିକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି, ଭାରତ ଯୁଦ୍ଧ ବିମାନ ହରାଇଛି କିନ୍ତୁ ୬ଟି ଭାରତୀୟ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ନେଇ ପାକିସ୍ତାନର ଦାବି ସମ୍ପୂର୍ଣ୍ଣ ଭୁଲ୍। ଭାରତ କେତେ ଜେଟ୍ ହରାଇଛି ତାହା ସ୍ପଷ୍ଟ କରିବାକୁ ସିଡିଏସ୍ ମନା କରିବା ସହ ଏଭଳି ସଂଘର୍ଷରେ କିଛି କ୍ଷତି ସ୍ବାଭାବିକ ବୋଲି ସିଡିଏସ୍ କହିଛନ୍ତି। ୪ ଦିନ ଧରି ଚାଲିଥିବା ସଂଘର୍ଷ କେବେ ବି ପରମାଣୁ ଯୁଦ୍ଧର ନିକଟତର ହୋଇ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଲଢୁଆ ବିମାନ ସମ୍ପର୍କରେ ଜେନେରାଲ ଚୌହାନଙ୍କୁ ପଚରାଯିବାରୁ ସେ କହିଛନ୍ତି, ସେଗୁଡ଼ିକ କାହିଁକି ତଳକୁ ଖସିଲେ, କ’ଣ ଭୁଲ୍ ହୋଇଥିଲା- ତାହା ଗୁରୁତ୍ୱପୂର୍ଣ୍ଣ।
‘ତ୍ରୁଟି ବୁଝିବା ପରେ ପ୍ରତିକାର କରାଯାଇଥିଲା’
ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ଭଲ କଥା ହେଉଛି ଆମେ ଯେଉଁ ରଣକୌଶଳଗତ ଭୁଲ୍ କରିଥିଲୁ ତାହାକୁ ବୁଝିଲୁ, ଏହାର ପ୍ରତିକାର କଲୁ, ସୁଧାରିଲୁ ଏବଂ ଦୁଇ ଦିନ ପରେ ଏହାକୁ କାର୍ଯ୍ୟକ୍ଷମ କରି ଆମର ସମସ୍ତ ଜେଟ୍କୁ ପୁଣି ଥରେ ଉଡ଼ାଇବାରେ ସକ୍ଷମ ହେଲୁ। ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ ତାଙ୍କ ଦେଶ ୬ଟି ଭାରତୀୟ ଲଢୁଆ ବିମାନକୁ ଖସାଇ ଦେଇଛି। ପୂର୍ବରୁ ଭାରତ ସରକାର ଯୁଦ୍ଧରେ ବିମାନ ହରାଇଛି କି ନାହିଁ ସେ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଜେନେରାଲ ଚୌହାନ ଚୀନ୍ ଓ ଅନ୍ୟାନ୍ୟ ଦେଶରୁ ନିୟୋଜିତ ଅସ୍ତ୍ରଶସ୍ତ୍ରର ଫଳପ୍ରଦତା ବିଷୟରେ ପାକିସ୍ତାନର ଦାବିକୁ ସିଡିଏ ଖଣ୍ଡନ କରିଛନ୍ତି। ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ଗବେଷଣା ଗୋଷ୍ଠୀ ଚଳିତ କହିଛି ଯେ ଭାରତ ସହ ସଂଘର୍ଷ ସମୟରେ ଚୀନ୍ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ଓ ସାଟେଲାଇଟ୍ ସହାୟତା ପ୍ରଦାନ କରିଥିଲା। ଭାରତୀୟ ସେନା ମୁଖ୍ୟ କହିଛନ୍ତି, ଆମେ ଏକ ମିଟରର ସଠିକତା ସହିତ ୩୦୦ କିଲୋମିଟର ପାକିସ୍ତାନ ଭିତରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଆକ୍ରମଣ କରିବାରେ ସକ୍ଷମ ହୋଇଥିଲୁ।
ଅପପ୍ରଚାର ମୁକାବିଲାରେ ୧୫% ସମୟ ନଷ୍ଟ ହୋଇଛି
ନୂଆଦିଲ୍ଲୀ: ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ କହିଛନ୍ତି, ଅପରେସନ୍ ସିନ୍ଦୂରରେ ସାଇବର ଓ ଅପପ୍ରଚାର ଅଭିଯାନର ମୁକାବିଲା କରିବାରେ ୧୫ ପ୍ରତିଶତ ସମୟ ନଷ୍ଟ ହୋଇଥିଲା। ସିଙ୍ଗାପୁରରେ ଆୟୋଜିତ ସାଙ୍ଗ୍ରି-ଲା ଡାଏଲଗ୍ରେ ଚୌହାନ ଉଲ୍ଲେଖ କରିଛନ୍ତି ଯେ, ମେ ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଅପରେସନରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଯଦିଓ ପାକିସ୍ତାନ ଚୀନ୍ର ବାଣିଜ୍ୟିକ ସାଟେଲାଇଟ୍ ଚିତ୍ରର ଫାଇଦା ଉଠାଇଛି, କିନ୍ତୁ ରିଅଲ୍ ଟାଇମ୍ ଟାର୍ଗେଟ୍ କରିବାରେ ବିଫଳ ହୋଇଥିଲା। ଅପରପକ୍ଷରେ ଭାରତ ଆକାଶ ଭଳି ସ୍ୱଦେଶୀ ବ୍ୟବସ୍ଥା ଉପରେ ନିର୍ଭର କରି ପ୍ରଭାବଶାଳୀ ସିଷ୍ଟମ୍ ନେଟୱାର୍କିଂ ମାଧ୍ୟମରେ ସଫଳତା ହାସଲ କରିଥିଲା। ଚୌହାନ ଉଲ୍ଲେଖ କରିଛନ୍ତି ଯେ ଆଧୁନିକ ସଂଘର୍ଷ କ୍ରମଶଃ ମିଛ ପ୍ରଚାରମୂଳକ ରଣନୀତି ଗ୍ରହଣ କରୁଛି। ଅପରେସନ ସିନ୍ଦୂର ସମୟରେ ପ୍ରାୟ ୧୫ ପ୍ରତିଶତ ସମୟ ମିଥ୍ୟା କାହାଣୀର ମୁକାବିଲା ପାଇଁ ଉତ୍ସର୍ଗୀକୃତ ଥିଲା, ଯାହା ସୂଚନା ଯୁଦ୍ଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା। ସଂଘର୍ଷରେ ଅଟୋମେସନ୍ ଓ ରୋବୋଟିକ୍ସର ନକାରାତ୍ମକ ଦିଗ ଏବଂ ଭବିଷ୍ୟତ ଯୁଦ୍ଧରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଉପରେ ସିଡିଏସ୍ ଆଲୋକପାତ କରିଥିଲେ। ସେ କହିଛନ୍ତି, ଯେତେବେଳେ କମ୍ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ, ସେତେବେଳେ ନିଷ୍ପତ୍ତି ଗ୍ରହଣକାରୀମାନେ ଅଧିକ ଆକ୍ରମଣାତ୍ମକ କାର୍ଯ୍ୟ କରିପାରନ୍ତି। ଓପନ୍ ସୋର୍ସ ଡାଟା ଉପରେ ନିର୍ଭରଶୀଳ ଥିବାରୁ ସାମରିକ ଏଆଇର ଉପଯୋଗିତା ବର୍ତ୍ତମାନ ସୀମିତ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରକୃତରେ ପ୍ରଭାବଶାଳୀ ହେବା ପାଇଁ ଏହାକୁ ଅପରେସନ୍, ୱାର୍ଗେମିଂ ଓ ଗୁଇନ୍ଦା ତଥ୍ୟ ସଂଗ୍ରହରେ ସାମିଲ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।