ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହିତ ସଂପର୍କ ଅଭିଯୋଗରେ ଧରାପଡ଼ିଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କ ଠାରୁ ଅନେକ ବିସ୍ଫୋରକ ତଥ୍ୟ ମିଳିଛି। ସେ ଦୁର୍ଦାନ୍ତ ଆତଙ୍କବାଦୀମାନଙ୍କୁ ନିଜ ସରକାରୀ ଘରେ ଆଶ୍ରୟ ଦେଉଥିଲେ। ସେମାନଙ୍କୁ ନିରାପଦରେ ରାଜ୍ୟ ବାହାରକୁ ଯିବାରେ ସହାୟତା କରୁଥିଲେ। ଏପରିକି ଆଗାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନଙ୍କୁ ଦିଲ୍ଲୀ ପଠାଇବା ଲାଗି ମଧ୍ୟ ଯୋଜନା କରିଥିଲେ। ଏହି ଯୋଜନା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ସେସଂପର୍କରେ ଗତକାଲିଠାରୁ ଏକ ମିଳିତ ଟିମ୍ ପଚରାଉଚରା ଚଳାଇଛି। ତେବେ ସବୁଠାରୁ ବିସ୍ଫୋରକ ତଥ୍ୟ ହେଲା ଯେ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅଫଜଲ ଗୁରୁ ସହିତ ମଧ୍ୟ ତାଙ୍କର ସଂପର୍କ ଥିଲା ବୋଲି କୁହାଯାଉଛି।

Advertisment

ମାମଲାର ତଦନ୍ତ ଚଳାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗର ସ୍ଥିତ ତାଙ୍କ ବାସଭବନରେ ସିଂହ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ରହୁଥିବା ଡିଏସ୍‌ପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ କେହି କିଛି ଜାଣି ପାରିନଥିଲେ। ତେବେ ଗତ ଶନିବାର ଦିନ ସେ ୩ ଆତଙ୍କବାଦୀଙ୍କୁ କାଶ୍ମୀରରୁ ଦିଲ୍ଲୀ ପଠାଇବାପାଇଁ ବ୍ୟବସ୍ଥା କରୁଥିବା ବେଳେ ସେହି ଆତଙ୍କବାଦୀଙ୍କ ସହ ଧରା ପଡ଼ିଥିଲେ। ଡିଏସ୍‌ପି ଦେବିନ୍ଦର ଗିରଫ ହେବାପରେ ଗତକାଲି ତାଙ୍କ ବାସଭବନରେ ଚଢ଼ଉ ହୋଇଥିଲା। ଡିଏସ୍‌ପିଙ୍କ ବାସଭବନରୁ ଏକେ ୪୭ ରାଇଫଲ୍‌ ଏବଂ ୨ଟି ପିସ୍ତଲ ମିଳିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଦେବିନ୍ଦର ସିଂହ ଗତ ଶୁକ୍ରବାର ଦିନ ୩ ଆତଙ୍କବାଦୀ ତଥା ଶୀର୍ଷ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀଦ ଏବଂ ତା’ର ଅନ୍ୟ ୨ ସହଯୋଗୀ ଇରଫାନ୍‌ ଏବଂ ରଫିକୁ ସୁରକ୍ଷା ଦେଇ ଦକ୍ଷିଣ କାଶ୍ମୀରର ସୋପିଆନ୍‌ରୁ ଶ୍ରୀନଗରର ବାଦାମୀ ବାଗ୍ କ୍ୟାଣ୍ଟନ୍‌ମେଣ୍ଟ୍‌ ନିକଟସ୍ଥ ତାଙ୍କ ବାସଭବନକୁ ନେଇଥିଲେ। ‌ନିଜ ବାସଭବନ‌ରେ ଡିଏସ୍‌ପି ସେମାନଙ୍କୁ ସାରାରାତି ଆଶ୍ରୟ ଦେଇଥିଲେ। ଶନିବାର ଦିନ ସକାଳେ ସେମାନେ ଜମ୍ମୁ ଅଭିମୁଖେ ବାହାରିଥିଲେ। ଜମ୍ମୁରୁ ଡିଏସ୍‌ପି ସେମାନଙ୍କୁ ଦିଲ୍ଲୀ ପଠାଇଥାନ୍ତେ। କିନ୍ତୁ ଡିଏସ୍‌ପିଙ୍କ ସହ ଏହି ୩ ଆତଙ୍କବାଦୀ ଜମ୍ମୁ-ଶ୍ରୀନଗର ରାଜପଥରେ ଏକାଠି ଧରା ପଡ଼ିବାପରେ ସେମାନଙ୍କୁ ଗିରଫ କରାଯାଇଥିଲା। ୨୦୦୧ ସଂସଦ ଆକ୍ରମଣରେ ଦେବୀନ୍ଦର ସିଂହଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଅଫଜଲ୍‌ ଗୁରୁ ସହ ମଧ୍ୟ ତାଙ୍କର ସମ୍ପୃକ୍ତି ଥିବା କୁହାଯାଇଥିଲା। ଡିଏସ୍‌ପିଙ୍କୁ ଏବେ ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷାବାହିନୀର ଯୁଗ୍ମ ଟିମ୍‌ ଦ୍ବାରା ଜେରା କରାଯାଉଛି। ଆଗକୁ ସାଧାରଣତନ୍ତ୍ର ଦିବସ ଥିବାବେଳେ ଆତଙ୍କବାଦୀମାନେ କିଛି ଷଡ଼ଯନ୍ତ୍ର କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଦେବିନ୍ଦର ସିଂହ ଶ୍ରୀନଗରର ଇନ୍ଦିରା ନଗରରେ ଏକ ଘର ନିର୍ମାଣ କରୁଛନ୍ତି। ତାଙ୍କ ଘର ନିକଟରେ ସେନାଘାଟି ଅଛି। ତଦନ୍ତକାରୀ ଟିମ୍‌ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଦେବିନ୍ଦର ସିଂହ ୬ ମାସ ତଳେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ମାନୀତ ହୋଇଥିଲେ। ସେ ଏବେ ବିମାନଘାଟୀ ସୁରକ୍ଷା ଦାୟିତ୍ବରେ ଥିଲେ।