ନୂଆଦିଲ୍ଲୀ : ଅର୍ଥ ହେରଫେର ବା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଖଣ୍ଡ କ୍ଷମତାକୁ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି। ଏସଂପର୍କରେ ଆଗତ ସମସ୍ତ ଆପତ୍ତି ସଂକ୍ରାନ୍ତ ପିଟିସନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଇଡିର କାର୍ଯ୍ୟାନୁଷ୍ଠାନ ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ବୈଧ। ଅର୍ଥ ହେରଫେର ମାମଲାରେ ଇଡି ଅଭିଯୁକ୍ତକୁ ଗିରଫ କରିପାରିବ,ଚଢ଼ଉ କରିପାରିବ ଏବଂ ସଂପତ୍ତି ଜବତ ମଧ୍ୟ କରିପାରିବ। ଅର୍ଥ ହେରଫେର ଏକ ଗୁରୁତର ଅପରାଧ। ଏହା ଆତଙ୍କବାଦ ଏବଂ ଡ୍ରଗ୍ସ କାରବାର ଭଳି ବଡ଼ ବଡ଼ ଅପରାଧକୁ ଉତ୍ସାହିତ କରୁଛି।
ଜଷ୍ଟିସ ଏଏମ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି କହିଛନ୍ତି ଯେ ମନିଲଣ୍ଡରିଂ ନିରୋଧ ଆଇନ (ପିଏମ୍ଏଲ୍ଏ)ରେ ଯେତେସବୁ କଡ଼ା ପ୍ରାବଧାନ ରହିଛି, ଯଥା- ଚଢ଼ଉ ଓ ଜବତ କରିବା, ଗିରଫ କରିବା, ସମ୍ପତ୍ତି ଜବତ କରିବା ଓ ଜାମିନ ଆଦି ସବୁକିଛି ବୈଧ। ଆଇନର ଧାରା ୧୯ରେ ଥିବା ଗିରଫ କରିବାର କ୍ଷମତା ଅନୁଯାୟୀ ଇଡି କାହାକୁ ଗିରଫ କଲେ ତାହାକୁ ମନମୁଖି କୁହାଯାଇପାରିବ ନାହିଁ। ପୁଣି ଧାରା ୫ ଅନୁଯାୟୀ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ବ୍ୟକ୍ତିର ସମ୍ପତ୍ତି ଜବତ କରିବା ମଧ୍ୟ ସମ୍ବିଧାନ ଅନୁଯାୟୀ ବୈଧ। ମନିଲଣ୍ଡରିଂ କେବଳ ଦେଶର ସାମାଜିକ ଓ ଆର୍ଥିକ ସ୍ଥିତିକୁ ଦୁର୍ବଳ କରୁନାହିଁ, ବରଂ ଏହା ଆତଙ୍କବାଦ, ନିଶା କାରବାର ଆଦି ହୀନ ଅପରାଧକୁ ପ୍ରୋତ୍ସାହିତ କରୁଛି। ତେଣୁ ଏହା ଆତଙ୍କବାଦଠାରୁ କମ୍ ନୁହେଁ।
ମାନ୍ୟବର ଖଣ୍ଡପୀଠ ଆହୁରି କହିଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ଇସିଆଇଆର୍ (ଏନ୍ଫୋର୍ସମେଣ୍ଟ କେସ୍ ଇନ୍ଫର୍ମେସନ ରିପୋର୍ଟ) କପି ପ୍ରଦାନ କରିବା ବାଧ୍ୟତାମୂଳକ ନୁହେଁ, କାରଣ ଏହା ଏକ ଆଭ୍ୟନ୍ତରୀଣ ଦଲିଲ। ଏଫ୍ଆଇଆର୍ କପି ପରି ଇସିଆଇଆର୍ କପି ପ୍ରଦାନ ବାଧ୍ୟତାମୂଳକ ନୁହେଁ। ଗିରଫ କରିବା ସମୟରେ ଯଦି ଇଡି କର୍ତ୍ତୃପକ୍ଷ ତା’ର କାରଣ କୁହନ୍ତି, ତେବେ ସେତିକି ଯଥେଷ୍ଟ।
ଆବେଦନକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ଅଭିଯୁକ୍ତକୁ ବିନା ପ୍ରମାଣ ଓ ବିନା ସୂଚନାରେ ଗିରଫ କରିବା ଅସାମ୍ବିଧାନିକ। ପୁଣି ପ୍ରମାଣର ବୋଝ ଅଭିଯୁକ୍ତ ଉପରେ ଲଦିବା ସମାନତା ଓ ବଞ୍ଚିବାର ଅଧିକାର ପରି ମୌଳିକ ଅଧିକାରର ଉଲ୍ଲଂଘନ କରୁଛି।
ଏହାର ଉତ୍ତରରେ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ମନିଲଣ୍ଡରିଂ ଏକ ସାଂଘାତିକ ଅପରାଧ ଏବଂ ଏହାର ମୂଳୋତ୍ପାଟନ କରିବା ଏକ ସାମାଜିକ ଆବଶ୍ୟକତା ହୋଇଥିବାରୁ ପ୍ରମାଣର ବୋଝ ଅଭିଯୁକ୍ତ ଉପରେ ଲଦିବା ଯୁକ୍ତିଯୁକ୍ତ।
ଆବେଦନକାରୀମାନେ ଯୁକ୍ତି କରିଥିଲେ ଯେ ପିଏମ୍ଏଲ୍ଏ ଆଇନ ୨୦୦୨ରେ ଲାଗୁ ହେଲା। ତେଣୁ ତା’ ପୂର୍ବରୁ ସଂଘଟିତ ମାମଲା ପାଇଁ ଏହି ଆଇନକୁ ଲାଗୁ କରିବା ଅସାମ୍ବିଧାନିକ। କୋର୍ଟ ମଧ୍ୟ ଏ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ କହିଥିଲେ ଯେ ମନିଲଣ୍ଡରିଂ ଏକ ନିରବଚ୍ଛିନ୍ନ ଭାବେ ଘଟୁଥିବା ଅପରାଧ। ଏହା ଏକକ କ୍ରିୟା ନୁହେଁ, ବରଂ ଏକ ଶୃଙ୍ଖଳ। ଅପରାଧର ଆରମ୍ଭ ୨୦୦୨ ପୂର୍ବରୁ ହୋଇପାରେ, କିନ୍ତୁ ତାହାର ପ୍ରକ୍ରିୟା ଓ ପ୍ରଭାବ ୨୦୦୨ ପରେ ବଳବତ୍ତର ଥାଇପାରେ।
କର୍ତ୍ତି ଚିଦମ୍ବରମ ଏବଂ ମେହବୁବା ମୁଫତିଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ଏହି ଆଇନକୁ ଚାଲେଞ୍ଜ କରି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମୋଦୀ ସରକାରରେ ମନିଲଣ୍ଡରିଂ ମାମଲାରେ ଚଢ଼ଉ ୨୬ ଗୁଣ ବଢ଼ିଛି, କିନ୍ତୁ ଦୋଷୀ ସାବ୍ୟସ୍ତ ହାର ନଗଣ୍ୟ। ଗତ ୮ ବର୍ଷରେ ମାତ୍ର ୨୩ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଣୁ ପିଏମ୍ଏଲ୍ଏର କେତେକ ପ୍ରାବଧାନ ଉପରେ ଆବେଦନକାରମାନେ ଆପତ୍ତି ଉଠାଇଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ପିଏ୍ଏଲ୍ଏର ବୈଧତା ରହିଛି। କାରଣ ମନିଲଣ୍ଡରିଂ କେବଳ ଦେଶର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରୁନାହିଁ ବରଂ ଦେଶର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। କେବଳ ବିଜୟ ମାଲ୍ୟା ବା ନିରବ ମୋଦୀଙ୍କ ପରି ବ୍ୟବସାୟୀଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁ ହେଉନାହିଁ, ଆତଙ୍କବାଦୀ ଗୋଷ୍ଠୀଙ୍କ କ୍ଷେତ୍ରରେ ବି ଲାଗୁ ହେଉଛି।