ଏଟିଏମରୁ ଅଭିନବ ଉପାୟରେ ୯ ଲକ୍ଷ ଟଙ୍କା ଠକେଇ

ମୁମ୍ବାଇ : ମୁମ୍ବାଇରେ ଥିବା ଆକ୍ସିସ ବ୍ୟାଙ୍କର ଏକ ଏଟିଏମରୁ ଏକ ଅଭିନବ ଉପାୟରେ ପ୍ରାୟ ୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି । ଏକ ଠକେଇ ଦଳ ବେଶ ସୁଚିନ୍ତିତ ଉପାୟରେ ଏଟିଏମରେ ସ୍କିମିଂ ଡିଭାଇସ ଓ ଗୁପ୍ତ କ୍ୟାମେରା ଖଞ୍ଜି ଲୋକମାନଙ୍କ କାର୍ଡ ସଂପର୍କିତ ଗୋପନୀୟ ତଥ୍ୟ ଚୋରୀ କରି ଏଟିଏମ କାର୍ଡର କ୍ଲୋନ ବା ନକଲ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ୫୦ ୫୦ଟି ଏଟିଏମ କାର୍ଡର କ୍ଲୋନ ତିଆରି କରି ସେମାନେ ମୋଟ ୯.୧୧ ଲକ୍ଷ ଟଙ୍କା ଉଠାଇବାରେ ସଫଳ ହୋଇଛନ୍ତି ।

ଏହି କାଣ୍ଡ ପଛରେ ଏକ ଧୁର୍ତ୍ତ ଅନ୍ତଃରାଜ୍ୟ ଠକ ଦଳ ରହିଥିବା ମୁମ୍ବଇ ପୁଲିସ କହିଛି । ମୁମ୍ବାଇର ଡେପୁଟି ପୁଲିସ କମିଶନର (ଜୋନ-୧) ମନୋଜ କୁମାରଶର୍ମା କହିଛନ୍ତି ଯେ ଏହି ଘଟଣାରେ ଏକ ଏଫଆଇଆର ଦାଏର କରାଯାଇଛି ଓ ତଦନ୍ତ ଜାରି ରହିଛି । ନରେନ୍ଦ୍ର ବିନ୍ଦ୍ରା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଏହି ଏଫଆଇଆର ଦାଏର କରାଯାଇଛି । ଏହି ମାମଲରେ ଟଙ୍କା ହରାଇଥିବା ଅଧିକାଂଶ ଗ୍ରାହକ ସରକାରୀ ପ୍ରିଣ୍ଟିଂ ପ୍ରେସର କର୍ମଚାରୀ ବୋଲି ଜଣାପଡିଛି ।

ଏହି ଘଟଣା ସମ୍ପର୍କରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ସ୍ୱୀକାର କରାଯିବା ସହ କୁହାଯାଇଛି ଯେ ଏକ ତ୍ରୁଟିଯୁକ୍ତ ଏଟିଏମରେ କାରବାର କରି ବ୍ୟାଙ୍କର କେତେଜଣ ଗ୍ରାହକ କ୍ଷତିରେ ପଡିଛନ୍ତି । ଗ୍ରାହକମାନଙ୍କ କ୍ଷତିର ଭରଣା କରାଯାଇଥିବା ବେଳେ ଏହାର ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର