ଶ୍ରୀନଗର : ଜମ୍ମୁ କଶ୍ମୀର ରାଜୌରି ଜିଲ୍ଲାରେଆଜି ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଛି। ଉଭୟ ପଟୁ ପ୍ରବଳ ଗୁଳିଗୋଳା ବିନିମୟ ଏଲ୍ଓସିକୁ ପୁଣି ଅଶାନ୍ତ କରିଦେଇଛନ୍ତି। ପାକିସ୍ତାନ ତୁହାକୁ ତୁହା ଗୋଳା ମାଡ଼ କରୁଥିବାରୁ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଆତଙ୍କ ଖେଳିଯାଇଛି। ନୌସେରା ସେକ୍ଟର ସ୍ଥିତ ଖୋରି ବାବା ଅଞ୍ଚଳରେ ଗତ ରାତି ପ୍ରାୟ ୯ଟାରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ୨ ଯବାନ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଦୁଇ ଦିନ ତଳେ ମଧ୍ୟ ରାଜୌରି ସେକ୍ଟରରେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇ ୨ ଜଣ ଯବାନ ଆହତ ହୋଇଥିଲେ। ବାଲାକୋଟ୍ ଆକ୍ରମଣ ପରଠାରୁ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଳଂଘନ କମିଥିଲେ ସୁଦ୍ଧା ଗତ ଜୁନ୍ ମାସରୁ ପାକିସ୍ତାନ ପୁଣିଥରେ ଏହାର ପୁରୁଣା ଅଭ୍ୟାସ ଦୋହରାଇଛି। ଗତ ଜୁନ୍ ୧୬ ତାରିଖରେ ପାକିସ୍ତାନ ପୁଞ୍ଚ ଜିଲ୍ଳାରେ ଅସ୍ତ୍ରବିରତି ଉଲ୍ଳଂଘନ କରିଥିଲା। ଏହା ପୂର୍ବରୁ ଜୁନ୍ ୧୦ ତାରିଖରେ ପାକ୍ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ ଗତ ୬ ମାସ ମଧ୍ୟରେ ପାକିସ୍ତାନ ଏଲ୍ଓସି ନିକଟରେ ୧୨୪୮ ଥର ଅସ୍ତ୍ରବିରତି ଉଲ୍ଳଂଘନ ହୋଇଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ସଂସଦରେ କହିଥିଲେ।