ଇସ୍‌ଲାମାବାଦ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଆସନ୍ତାକାଲି ପାକିସ୍ତାନ ଦୂତାବାସ ସହାୟତା ଉପଲବ୍ଧ କରାଇବ ବୋଲି ଜଣାପଡ଼ିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଆଜି ସନ୍ଧ୍ୟାରେ ଏ ବାବଦ ସୂଚନା ଜାରି କରିଛନ୍ତି। ଦୂତାବାସ ସହାୟତା ତୁରନ୍ତ ଯୋଗାଇ ଦେବା ପାଇଁ ଭାରତ ପକ୍ଷରୁ ଲଗାତାର ଦାବି ହେଉଥିବା ବେଳେ ଶେଷରେ ପାକିସ୍ତାନ ଏହାକୁ ଗ୍ରହଣ କରିଛି। କୁଳଭୂଷଣଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ଇସ୍‌ଲମାବାଦ ସ୍ଥିତ ଭାରତୀୟ ହାଇକମିସନରଙ୍କ କାର୍ଯ୍ୟାଳୟ ତତ୍ପର ହୋଇଉଠିଛି।

Advertisment

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ କୁଳଭୂଷଣଙ୍କ ମାମଲାରେ ପାକିସ୍ତାନକୁ ବଡ଼ ଝଟ୍‌କା ସତ୍ତ୍ବେ ଦୂତାବାସ ସହାୟତା ଯୋଗାଇବାକୁ ପାକିସ୍ତାନ ସରକାର ଟାଳଟୁଳ ନୀତି ଧରିଥିଲା। ତେବେ କୁଳଭୂଷଣଙ୍କୁ କୌଣସି ସ୍ଥିତିରେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ସ୍ପଷ୍ଟ କରିବା ସହ ତାଙ୍କ ବିରୋଧରେ ପାକିସ୍ତାନ ଉପସ୍ଥାପନ କରିଥିବା ପ୍ରମାଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପାକିସ୍ତାନ ସାମରିକ ଅଦାଲତ କୁଳଭୂଷଣଙ୍କୁ ଯେଉଁ ପ୍ରମାଣ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ଗ୍ରହଣୀୟ ନୁହେଁ ଏବଂ ସେ ଜଣେ ଭାରତୀୟ ନାଗରିକ ଛଡ଼ା ତାଙ୍କ ବିରୋଧରେ ଅନ୍ୟ କିଛି ପ୍ରମାଣ ସାବ୍ୟସ୍ତ ହୋଇପାରି ନାହିଁ ବୋଲି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ କହିଥିଲେ।