ଜୋହାନ୍ସବର୍ଗ : ନଭେମ୍ବର ୧୯ରେ ଦକ୍ଷିଣ ଆଫ୍ରିକାର ଏକ ଘରୋଇ ଟେଷ୍ଟିଂ ଲାବ୍‌ରେ ଏହାର ମୁଖ୍ୟ ବୈଜ୍ଞାନିକ ରାକେଲ ଭିଏନା ୮ଟି କରୋନା ଭୂତାଣୁଙ୍କ ନମୁନାର ଜିନ୍ ସ୍ବିକ୍ବେନ୍ସିଂ କଲାବେଳେ ଚକିତ ହୋଇଯାଇଥିଲେ। ଲାନ୍‌ସେଟ୍ ଲାବରେଟୋରିରେ ପରୀକ୍ଷା କଲାବେଳେ ସେ ଦେଖିଲେ ଯେ ପ୍ରତ୍ୟେକ ଭୂତାଣୁଙ୍କ ବହୁସଂଖ୍ୟକ ମ୍ୟୁଟେସନ ହୋଇଛି, ବିଶେଷତଃ ସ୍ପାଇକ୍ ପ୍ରୋଟିନ୍‌ର ବି ଯାହା ସାହାଯ୍ୟରେ ଭୂତାଣୁ ମଣିଷ କୋଷରେ ପ୍ରବେଶ କରିଥାଏ।

Advertisment

ଏହାପରେ ଭିଏନା ଭାବିଥିଲେ ପରୀକ୍ଷାରେ କିଛି ଭୁଲ୍‌ ହୋଇଥିବ। ଏତେ ମ୍ୟୁଟେସନ ଆଜିଯାଏ କୌଣସି ଭୂତାଣୁଙ୍କର ଦେଖାଯାଇ ନାହିଁ। ସେ ତାଙ୍କ ସହକର୍ମୀ ତଥା ଜୋହାନ୍ସବର୍ଗସ୍ଥିତ ଜାତୀୟ ଇନ୍‌ଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବ୍‌ଲ ଡିଜିଜେସ୍ (ଏନ୍‌ଆଇସିଡି)ର ଜିନ୍ ସିକ୍ବେନ୍ସର ଡାନିଏଲ ଆମୋକୋଙ୍କୁ ଫୋନ୍ କଲେ। ସେ କହିଲେ, ମୋତେ ଲାଗୁଛି ଏହା ହେଉଛି ଭୂତାଣୁଙ୍କ ଏକ ନୂଆ ବଂଶଧାରା, ନୂଆ ଭାରିଆଣ୍ଟ। ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହି ଭାରିଆଣ୍ଟର ନାମ ଦେଇଛି ଓମିକ୍ରନ୍। ଓମିକ୍ରନ୍‌ର ଆବିର୍ଭାବ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ବିଭିନ୍ନ ଦେଶ ସଂକ୍ରମିତ ଦେଶଗୁଡ଼ିକ ସହ ବିମାନ ଯାତାୟାତରେ କଟକଣା ଲଗାଇଛନ୍ତି। କାରଣ ଏପରି କି ଲୋକମାନେ ସମ୍ପୂର୍ଣ୍ଣ ଟିକାକୃତ ହୋଇଥିଲେ ମଧ୍ୟ ସେମାନେ ଓମିକ୍ରନ୍ ସଂକ୍ରମିତ ହୋଇପାରନ୍ତି ଏବଂ ସେମାନେ ମଧ୍ୟ ସଂକ୍ରମଣର ମାଧ୍ୟମ ହୋଇପାରନ୍ତି।

ଆମୋକୋ ଓ ତାଙ୍କ ଦଳ ଭିଏନା ପଠାଇଥିବା ଭୂତାଣୁଙ୍କ ୮ଟି ନମୁନା ପରୀକ୍ଷଣରେ ଏନ୍‌ଆଇସିଡିରେ ନଭେମ୍ବର ୨୦-୨୧ ସପ୍ତାହାନ୍ତ କଟାଇଲେ। ଦେଖାଗଲା ସବୁଗୁଡ଼ିକର ଏକା ପ୍ରକାର ମ୍ୟୁଟେସନ ହୋଇଛି। ପ୍ରଥମେ ସେମାନେ ଏହାକୁ ବିଶ୍ବାସ କରିପାରୁ ନ ଥିଲେ। ଭାବୁଥିଲେ ପରୀକ୍ଷାରେ କିଛି ଗଡ଼ବଡ଼ ହୋଇଥିବ। ତା’ପରେ ସେମାନଙ୍କର ମନେପଡ଼ିଲା ଯେ, ଗତ ସପ୍ତାହକ ଭିତରେ କେତେକ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣ ମାମଲାରେ ଆଶାତୀତ ବୃଦ୍ଧି ଘଟିଛି। ତେଣୁ ସେମାନେ ଭାବିନେଲେ ଯେ, ଏହା କୌଣସି ନୂତନ ମ୍ୟୁଟାଣ୍ଟ ଯୋଗୁ ହୋଇଥିବ। ଭିଏନା ଦେଖିଲେ ଯେ ଗତ ମାସ ଆରମ୍ଭରେ ସେମାନେ ଯେଉଁ ନମୁନା ପରୀକ୍ଷା କରିଥିଲେ ସେଥିରେ ଥିବା ଏସ୍‌-ଜିନ୍ ନୂଆ ନମୁନାରେ ନାହିଁ। ତେଣୁ ଡେଲ୍‌ଟା ଭାରିଆଣ୍ଟଠାରୁ ଏହା ଅଲଗା ବୋଲି ଜଣାପଡ଼ିଲା। ନଭେମ୍ବର ୨୩ ମଙ୍ଗଳବାର ସୁଦ୍ଧା ସେମାନେ ଆଉ ୩୨ଟି ନମୁନା ପରୀକ୍ଷା କଲେ। ସେଥିରୁ ନୂତନ ଭାରିଆଣ୍ଟ ଉଦ୍ଭବ ହୋଇଥିବା ସେମାନେ ସ୍ପଷ୍ଟ ହୋଇଗଲେ।