କୋଲକାତା: ପୂର୍ବତନ ଚନ୍ଦନଗର ପୁଲିସ କମିଶନର ହୁମାୟୁନ କବୀର ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଦେବରା ନିର୍ବାଚନମଣ୍ଡଳୀରେ ପୂର୍ବତନ ଆଇପିଏସ୍‌ ଅଧିକାରୀ କବୀର ଦଳୀୟ ପ୍ରାର୍ଥୀ ହେବେ ବୋଲି ଟିଏମ୍‌ସିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଘୋଷଣା କରିଛନ୍ତି। କବୀର ଗତ ଜାନୁଆରି ୩୦ ତାରିଖରେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବା ପରେ ଗତ ଫେବ୍ରୁଆରି ମାସ ଆରମ୍ଭରେ ବିଧିବଦ୍ଧ ଭାବେ ଟିଏମ୍‌ସିରେ ଯୋଗ ଦେଇଥିଲେ। ତୃଣମୂଳରେ ଯୋଗଦେବା ପରେ କବୀରଙ୍କୁ କେନ୍ଦ୍ରକରି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ଗତ ଜାନୁଆରିରେ ବହୁ ସଂଖ୍ୟାରେ ବିଜେପି କର୍ମୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇ କବୀର ଚର୍ଚ୍ଚାରେ ରହିଥିଲେ। ବିଜେପି ନେତା ଶୁୁଭେନ୍ଦୁ ଅଧିକାରୀ ଓ ହୁଗଲି ସାଂସଦ ଲକେଟ୍‌ ଚାଟାର୍ଜୀଙ୍କ ଏକ ରୋଡ୍‌ ସୋ’ରେ ‘ଦେଶ କେ ଗାଦ୍ଦାରୋ କୋଁ, ଗୋଲି ମାରୋ...’ ସ୍ଲୋଗାନ ଦେଇଥିବାରୁ ସେ ତିନିଜଣ ବିଜେପି କର୍ମୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ପୁଲିସ୍‌ ସେବାରୁ ଇସ୍ତଫା ଦେଇଥିଲେ।

ଶ୍ରୀ କବୀର ଏପ୍ରିଲରେ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ରୁ ଅବସର ନେବାର ଥିଲା। ତାଙ୍କ ପତ୍ନୀ ଅନିନ୍ଦିତା କବୀର ତୃଣମୂଳର ଜଣେ ସଦସ୍ୟା ଅଛନ୍ତି। ଗତ ମାସରେ ତୃଣମୂଳରେ ଯୋଗଦେବା ପରେ ସେ କହିଥିଲେ, ‘ମମତା ବାନାର୍ଜୀ ବଙ୍ଗଳାକୁ ବିକାଶ ଆଣିଛନ୍ତି। ମୁଁ ତାଙ୍କ ଅଧୀନରେ କାମ କରିଛି ଏବଂ ମୁଁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଛି। ବାହାରର ଏକ ଦଳ ବିଭାଜନ ସୃଷ୍ଟିକରି ଏଠାରେ ଜିତିବାକୁ ଚେଷ୍ଟା କରୁଛି। ହେଲେ, ବଙ୍ଗଳାର ଲୋକମାନେ ସେମାନଙ୍କୁ ଉଚିତ୍‌ ଜବାବ ଦେବେ। ମମତା ବାନାର୍ଜୀ କ୍ଷମତାକୁ ଫେରିବେ’।