ନୂଆଦିଲ୍ଲୀ: କାନାଡ଼ା ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଭାରତ ସରକାର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିରୋଧରେ ଅନଲାଇନ ଧମକ ଦେଇଥିବା ଦୁଇ ଜଣଙ୍କ ବିରୋଧରେ କାନାଡା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଭାରତୀୟ ରାଜନେତା ଓ କୂଟନୀତିଜ୍ଞମାନଙ୍କୁ ଖଲିସ୍ତାନୀ ତତ୍ତ୍ୱ ଟାର୍ଗେଟ୍ କରିବା ମାମଲାରେ ଚୁପ୍ ରହିଆସିଛି। ସର୍ବସାଧାରଣ କାର୍ଯ୍ୟକ୍ରମରେ, ଅନଲାଇନ୍ ପୋଷ୍ଟ୍, ବ୍ୟାନର ଓ ପୋଷ୍ଟରରେ ଭାରତୀୟ କୂଟନୀତିଜ୍ଞ ଓ ରାଜନେତାଙ୍କ ବିରୋଧରେ ଖଲିସ୍ତାନୀ ନେତା ଏବଂ ଗୋଷ୍ଠୀଙ୍କ ଦ୍ୱାରା ବାରମ୍ବାର ଧମକ ଦିଆଯାଉଛି। ଭାରତ ଏହାର ପ୍ରତିବାଦ କଲାବେଳେ କାନାଡ଼ା ସରକାର କହୁଛନ୍ତି, ଏହା ତାଙ୍କ ଦେଶର ଆଇନ ଅନୁଯାୟୀ ଅଭିବ୍ୟକ୍ତିର ସ୍ବାଧୀନତା। କିନ୍ତୁ ଟ୍ରୁଡୋଙ୍କ ବିରୋଧରେ ଅନଲାଇନ ଧମକ ବିରୋଧରେ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ (ଆର୍‌ସିଏମ୍‌ପି)ର ସମନ୍ବିତ ଜାତୀୟ ସୁରକ୍ଷା ପ୍ରବର୍ତ୍ତନ ଦଳ (ଆଇଏନ୍ଏସ୍ଇଟି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା କାନାଡ଼ା ସରକାରଙ୍କ ଦୋମୁହାଁ ନୀତିକୁ ସୂଚାଉଛି ବୋଲି ଭାରତ ଅଭିଯୋଗ କରିଛି।

Advertisment

ସୋମବାର ଆର୍‌ସିଏମ୍‌ପି ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଟ୍ରୁଡୋ, ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ଏବଂ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ନେତା ଜଗମିତ୍ ସିଂହଙ୍କୁ ହତ୍ୟା କରିବା ପାଇଁ ୟୁଟ୍ୟୁବ୍‌ରେ ଧମକ ଦେବା ଅଭିଯୋଗରେ ଏଡମଣ୍ଟନର ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ କାନାଡାର କ୍ରିମିନାଲ କୋଡ୍ ଅନୁଯାୟୀ ତିନୋଟି ମାମଲା ଦାଏର କରାଯାଇଛି। ଜୁନ୍ ୭ ତାରିଖରେ ଏହି ଧମକ ଦିଆଯାଇଥିବା ବେଳେ ଜୁନ୍ ୧୩ ତାରିଖରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅନ୍ୟ ଏକ ମାମଲାରେ ଜୁନ୍ ୬ ତାରିଖରେ କାଲଗରିର ଜଣେ ୨୩ ବର୍ଷୀୟ ଯୁବକଙ୍କ ବିରୋଧରେ ଟ୍ରୁଡୋଙ୍କୁ ଏକ୍ସରେ ହତ୍ୟା ଧମକ ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ସପ୍ତାହରେ ଉଭୟଙ୍କୁ ପୃଥକ୍ ଅଦାଲତରେ ହାଜର କରାଯିବାର ଅଛି। ନାମ ଗୋପନ ରଖିବା ସର୍ତ୍ତରେ ଏହି ମାମଲା ସହ ଜଡ଼ିତ ଲୋକମାନେ କହିଛନ୍ତି ଯେ ବାକ୍-ସ୍ୱାଧୀନତା ସମ୍ପର୍କରେ କାନାଡାର ‘କପଟତା’ ପଦାକୁ ଆସିଛି। ଭାରତ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଆମେ ଦେଖିଛୁ ଯେ ଭାରତୀୟ କୂଟନୀତିଜ୍ଞ ଓ ରାଜନେତାଙ୍କ ବିରୋଧରେ ଖୋଲାଖୋଲି ଧମକକୁ କାନାଡା କର୍ତ୍ତୃପକ୍ଷ ଅନେକ ଥର ବାକ୍-ସ୍ବାଧୀନତା ନାମରେ ପ୍ରଶ୍ରୟ ଦେଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ କୂଟନୀତିଜ୍ଞଙ୍କୁ ହତ୍ୟା କରିବା ପାଇଁ ଖୋଲାଖୋଲି ଆହ୍ୱାନ ଦେଉଥିବା ଉଗ୍ରବାଦୀଙ୍କ ବିରୋଧରେ କେଉଁ ଆଇନ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବାରେ ବାଧା ଦେଇଥାଏ ତାହା ଆମେ ବୁଝିପାରୁନାହୁଁ ବୋଲି ଅଧିକାରୀ ଜଣକ କହିଛନ୍ତି। କାନାଡ଼ାରେ ଅନେକ ମନ୍ଦିର ଭଙ୍ଗାରୁଜା ପ୍ରତି ମଧ୍ୟ କର୍ତ୍ତୃପକ୍ଷ ନିଷ୍କ୍ରିୟତା ଦେଖାଉଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ ହିଂସାତ୍ମକ ପଦ୍ଧତି ପ୍ରତି ଏଭଳି ଅନୁମୋଦନମୂଳକ ମନୋଭାବ ଶେଷରେ କାନାଡାକୁ କ୍ଷତି ପହଞ୍ଚାଇବ ବୋଲି ଅଧିକାରୀ ଜଣକ କହିଛନ୍ତି।