ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ୨୧ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀରେ ପୁଟିନ ଯୋଗ ଦେବେ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଆଜି ଏହା ଘୋଷଣା କରିଛନ୍ତି।
ରୁଷ୍ ରାଷ୍ଟ୍ରପତିଙ୍କ ବାଦ୍ ବିଦେଶ ମନ୍ତ୍ରୀ ସର୍ଜି ଲାଭରବ, ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ଶୋଇଗୁ ମଧ୍ୟ ଉକ୍ତ ୨+୨ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ପାଇଁ ଭାରତ ଆସିବେ। ରୁଷ୍ ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରୀ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିବେ। କରୋନା ମହାମାରୀ ମଧ୍ୟରେ ପୁଟିନ୍ଙ୍କର ଏହା ଦ୍ବିତୀୟ ଅନ୍ତର୍ଜାତୀୟ ଗସ୍ତ। ଶେଷଥର ପାଇଁ ସେ ଜେନେଭା ଗସ୍ତ କରିଥିଲେ। ୨୦୨୦ରେ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀ ମହାମାରୀ ପାଇଁ ସ୍ଥଗିତ ରହିଥିଲା।