ଦେଶରେ ମାଓ ଉପଦ୍ରୁତ ଜିଲ୍ଲା ସଂଖ୍ୟା ୧୨କୁ ହ୍ରାସ ପାଇଛି 

ନୂଆଦିଲ୍ଲୀ : ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାର ସଂଖ୍ୟା ୯୦ରୁ ହ୍ରାସ ପାଇ ୧୨ରେ ପହଞ୍ଚିଛି । ଉତ୍ତର-ପୂର୍ବାଞ୍ଚଳରେ ଉଗ୍ରବାଦ ସ୍ଥିତିରେ ୮୦ % ଉନ୍ନତି ହୋଇଛି । ପାକିସ୍ତାନ ପକ୍ଷରୁ ହେଉଥିବା ଅସ୍ତ୍ର ବିରତି ଉଲ୍ଲଂଘନର କଡ଼ା ଜବାବ ଦେବାକୁ ବିଏସଏଫକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ବୋଲି  କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ରାଜନାଥ ସିଂ ।

ବିଜୟ ଦିବସ ପାଳନ ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଲେ, ଯୁବପିଢ଼ିଙ୍କ ମଧ୍ୟରେ ଅବସରପ୍ରାପ୍ତ ସେନା-କର୍ମଚାରୀମାନେ ଜାତୀୟ ଗୌରବର ଭାବନା ଉଦ୍ରେକ କରିପାରିବେ । ମହାବୀରଚକ୍ର ପୁରସ୍କାର ପ୍ରାପ୍ତ ବ୍ରିଗେଡିୟର ମହମ୍ମଦ ଉସମାନ ଏବଂ ଭାରତର ପ୍ରଥମ ପରମବୀର ଚକ୍ର ସମ୍ମାନରେ ସମ୍ମାନିତ ମେଜର ସୋମନାଥ ଶର୍ମାଙ୍କ ବୀରତ୍ୱ କଥା ସ୍ୱରାଷ୍ଟ୍ର ମନ୍ତ୍ରୀ ମନେ ପକାଇଥିଲେ । ରାଜନାଥ ସିଂହ ଚିନ୍ତା ପ୍ରକଟ କରିଥିଲେ ଯେ, ଆଜିର ଯୁବପିଢ଼ି କ୍ରିକେଟର ଓ ଚଳଚ୍ଚିତ୍ର ଅଭିନେତାଙ୍କୁ ଆଦର୍ଶ ମାନୁଥିବା ବେଳେ ଜଣେ ହେଲେ ପରମବୀର ଚକ୍ର ବିଜେତାଙ୍କ ନାମ ମନେ ପକାଇ ପାରିବେ ନାହିଁ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ, ଚନ୍ଦ୍ରଶେଖର ଆଜାଦ ଏବଂ ଭଗତ ସିଂହଙ୍କ ଭଳି ସହିଦମାନେ ଦେଶତ୍ମବୋଧକ ଭାବନାରେ କାର୍ଯ୍ୟ କରୁଥିଲେ । ପ୍ରବୀଣ ବରିଷ୍ଠ ଯୋଦ୍ଧାମାନଙ୍କ ସହ ଦେଶ ଆଜି ଛିଡ଼ା ହେବା ଉଚିତ ଏବଂ ଦେଶବାସୀଙ୍କ ମଧ୍ୟରେ ଜାତୀୟ ଏକତା ସୃଷ୍ଟି ସହ ବ୍ୟକ୍ତିଗତ ଗୌରବକୁ ସାଇତିବା ଦରକାର । ରାଜନାଥ ସିଂହ କହିଲେ, ଆମ ସେନା ୧୯୭୧ରେ ଏହା ପ୍ରମାଣିତ କରିଛି ଯେ ସେନା ଇତିହାସକୁ ପୁଣି ଲେଖିବା ସହ ନୂତନ ମାନଚିତ୍ର ସୃଷ୍ଟି କରିବାର କ୍ଷମତା ରଖିଛି । ସେବେଠାରୁ ଭାରତୀୟ ସେନା ବିଶ୍ୱ ସମ୍ମୁଖରେ ପେସାଗତ ଆଦର୍ଶ ଭାବେ ଛିଡ଼ା ହୋଇଛି ।

ସମ୍ବନ୍ଧିତ ଖବର