ନୂଆଦିଲ୍ଲୀ : ସରକାର ଶୁକ୍ରବାରଦିନ ସୂଚନା ପ୍ରଯୁକ୍ତି ଆଇନ ଅଧିନରେ କେତେକ ନୂଆ ନିୟମ ଘୋଷଣା କରିଛନ୍ତି । ଏସବୁ ନୂଆ ନିୟମ ଯୋଗୁଁ ସୋସିଆଲ ମିଡିଆଗୁଡ଼ିକ ଉପରେ ସରକାରଙ୍କ ଅଧିକ ନିୟନ୍ତ୍ରଣ ଆସିଯିବ । ସରକାର ବିଭିନ୍ନ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ, ଟୁଇଟର ଆଦିର ନିଷ୍ପତ୍ତିକୁ ବଦଳାଇ କୌଣସି ପୋଷ୍ଟ ବା କଣ୍ଟେଣ୍ଟକୁ ହଟାଇ ପାରିବେ, କୌଣସି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ, ରଦ୍ଦ କରିପାରିବେ । କିନ୍ତୁ ସରକାରଙ୍କ ଏହି ନିୟମକୁ ସୋସିଆଲ ମିଡିଆ କମ୍ପାନି ବିରୋଧ କରି କୋର୍ଟଙ୍କ ଆଶ୍ରୟ ନେବାର ସମ୍ଭାବନା ରହିଛି ।
ଏସବୁ ନୂଆ ନିୟମ ସଂପର୍କରେ ଶୁକ୍ରବାରଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହା ଅନୁସାରେ ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରାଯିବ । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ । ସେମାନଙ୍କୁ ସରକାର ନିଯୁକ୍ତ କରିବେ ।
ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ନିଯୁକ୍ତ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିବା କୌଣସି ବ୍ୟକ୍ତି ଡିଜିଟାଲ୍ ମୋଡ୍ ଦ୍ୱାରା ନିଜର ଆପତ୍ତି ଅଭିଯୋଗ ସରକାରୀ କମିଟିକୁ ପଠାଇପାରିବେ ବୋଲି ନୂତନ ନିୟମରେ କୁହାଯାଇଛି । "ଅଭିଯୋଗ ଆପିଲେଟ୍ କମିଟି ଦ୍ୱାରା ପାରିତ ହୋଇଥିବା ପ୍ରତ୍ୟେକ ଆଦେଶ ସମ୍ପୃକ୍ତ ମଧ୍ୟସ୍ଥିଙ୍କ ଦ୍ୱାରା ପାଳନ କରାଯିବ ଏବଂ ଏହାର ୱେବସାଇଟରେ ସେହି ବିଷୟରେ ଏକ ରିପୋର୍ଟ ଅପଲୋଡ୍ କରାଯିବ । ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ ।