ପ୍ରଥମ ଭିଡିଓ ଚିତ୍ର ପ୍ରେରଣ କଲା ଭାରତର ମିଲିଟାରୀ ଉପଗ୍ରହ ଜିସ୍ୟାଟ-୭ଏ

ନୂଆଦିଲ୍ଲୀ : ଗତ ୧୯ ତାରିଖରେ ମହାକାଶକୁ ପଠାଯାଇଥିବା ଭାରତର ସାମରିକ ଉପଗ୍ରହ ଜିିସ୍ୟାଟ-୭ଏ ନିଜର ପ୍ରଥମ ଭିଡିଓ ପ୍ରେରଣ କରିଛି । ଏହି ଭିଡିଓରେ ରକେଟ ଉତକ୍ଷେପଣଠାରୁ ଆରମ୍ଭ କରି ଶେଷରେ କ୍ରାଓଜେନିକ ଇଂଜିନ ଅଲଗା ହେବା ପର୍ଯ୍ୟନ୍ତ ଭିଡିଓ ରହିଛି । ଏହି ଉପଗ୍ରହରେ ଲଗାଯାଇଥିବା ଇନଫ୍ରାରେଡ ଓ ଅପଟିକାଲ କ୍ୟାମେରାମାଧ୍ୟମରେ ଏସବୁ ଭିଡିଓ ଉତ୍ତୋଳନ କରାଯାଇଛି । ଆଗାମୀ ଦିନରେ ଏହା ଭାରତୀୟ ବାୟୁସେନା ପାଇଁ ଏକ ଆଖି ସଦୃଶ କାମ କରିବ ।

ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ୱତନ୍ତ୍ରଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ଆର୍ଲି ଓ୍ଵାର୍ଣ୍ଣି ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ । ସରଳଭାଷାରେ କହିଲେ ଏହା ଦ୍ୱାରା ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଓ ଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ । ଭାରତ ଆମେରିକା ଓ ଇସ୍ରାଏଲଠାରୁ ଲଢୁଆ ଡ୍ରୋନ କିଣୁଥିବାରୁ ସେଗୁଡିକର ପରିଚାଳନା ପାଇଁ ଅତ୍ୟାଧୁନିକ ଉପଗ୍ରହ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଜିସ୍ୟାଟ-୭ଏ ପୂରଣ କରିବ ।

ସମ୍ବନ୍ଧିତ ଖବର