ପୁଡ଼ୁଚେରି: ପୁଡ଼ୁଚେରି ସରକାରଙ୍କ ପକ୍ଷରୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହିତ ରାଷ୍ଟ୍ରପତି ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜିପମର)ରେ ଲିନିଅର ଏକ୍ସିଲରେଟରର ଉଦ୍‌ଘାଟନ କରିଛନ୍ତି। ଭିଲିଆନୁରରେ ୫୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନାକୁ ଭର୍ଚୁଆଲ ମୋଡ୍‌ରେ ରାଷ୍ଟ୍ରପତି ଉଦ୍‌ଘାଟନ କରିଛନ୍ତି।

Advertisment

ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦବୋଧନ ଦେଇ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରିରେ ତାମିଲ, ତେଲୁଗୁ, ମାଲାୟଲୀମାନଙ୍କ ସମାଗମ ସହିତ ଫ୍ରେଞ୍ଚ୍‌ର ପ୍ରଭାବ କିଭଳି ଦୃଶ୍ୟମାନ ତାହା ଉପରେ ଆଲୋକପାତ କରିଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁଡ଼ୁଚେରି ନିଜର ଏକ ସ୍ବତନ୍ତ୍ର ପରିଚୟ ରଖିଛି। ସାମାଜିକ ପ୍ରଗତି ସୂଚୀ ସ୍କୋର ୨୦୨୨ରେ ପୁଡ଼ୁଚେରି ଦେଶରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ‌ ହାସଲ କରିଛି। ବ୍ୟକ୍ତିଗତ ସ୍ବାଧୀନତା ଠାରୁ ଆରମ୍ଭ କରି ଆବାସ, ଜଳ ଏବଂ ପରିମଳ କ୍ଷେତ୍ରରେ ମଧ୍ୟ ପୁଡ଼ୁଚେରିର ପ୍ରଦର୍ଶନ ଭଲ ରହିଛି। ପୁଡ଼ୁଚେରିର ସାକ୍ଷରତା ହାର ଅଧିକ ରହିଛି। ସେହିଭଳି ଲିଙ୍ଗଗତ ଅନୁପାତ ମହିଳାଙ୍କ ସପକ୍ଷରେ ରହିଛି। ଆଧ୍ୟାତ୍ମିକ ପର୍ଯ୍ୟଟନ ଦୃଷ୍ଟିରୁ ପୁଡ଼ୁଚେରି ଏକ ଚକିତ କରିବା ଭଳି ସ୍ଥାନ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ। ଏହି ଅବସରରେ ପୁଡ଼ୁଚେରିର ଉପରାଜ୍ୟପାଳ ଡ ତାମିଲସାଇ ସୌନ୍ଦରାରାଜନ ଏବଂ ମୁଖ୍ୟମନ୍ତ୍ରୀ ଏନ ରାଙ୍ଗାସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।