ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆଜି ପଂଚଭୂତରେ ଲୀନ ହୋଇଛନ୍ତି। ଦିଲ୍ଲୀର ଯମୁନା ତଟ ସ୍ଥିତ ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ କଂଗ୍ରେସର ଏହି ବରିଷ୍ଠ ନେତ୍ରୀଙ୍କ ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ହୋଇଛି। ଶୀଲାଙ୍କ ଶେଷ ଯାତ୍ରାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଶତାଧିକ ନେତା ସାମିଲ ଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ଦିଲ୍ଲୀର ହଜାର ହଜାର ଜନତା ଶ୍ମଶାନ ଘାଟରେ ପହଞ୍ଚି ‘ଶୀଲା ଦୀକ୍ଷିତ ଅମର ରହେ’ ସ୍ଲୋଗାନ ଦେଇ ପ୍ରିୟ ନେତ୍ରୀଙ୍କୁ ବିଦାୟ ଦେଇଥିଲେ।

Advertisment

ଏହା ପୂର୍ବରୁ ଶୀଲାଙ୍କ ପାର୍ଥିବ ଶରରୀକୁ ୨୪ ଆକବର ରୋଡ ସ୍ଥିତ କଂଗ୍ରେସ ମୁଖ୍ୟାଳୟ ନିଆଯାଇଥିଲା। ସେଠାରେ କଂଗ୍ରେସର ନେତୃବୃନ୍ଦ ଶୀଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ‌ସୋନିଆ ଗାନ୍ଧୀ ଏହି ଅବସରରେ କହିଥିଲେ, ଶୀଲାଜୀ ମୋର ବଡ଼ ଭଉଣୀ ଭଳି ଥିଲେ ଏବଂ ସବୁ କ୍ଷେତ୍ରରେ ପରାମର୍ଶ ଦେଉଥିଲେ। ତାଙ୍କର ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଆଜି ସକାଳେ ଶୀଲାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବସଭବନରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ସୁଷମା ସ୍ବରାଜ ପହଞ୍ଚିଥିଲେ। ସୁଷମା ଶୀଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଆମେ ଭିନ୍ନ ଦଳରେ ଥିଲେ ମଧ୍ୟ ଭଲ ବନ୍ଧୁ ଥିଲୁ।

ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କର ଗତକାଲି ୮୧ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସନ୍ଧ୍ୟାରେ ଶୀଲାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିଲ୍ଲୀକୁ ଏକ ବିଶ୍ବ ଶ୍ରେଣୀୟ ରାଜଧାନୀରେ ପରିଣତ କରିବା ପାଇଁ ଶୀଲାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୀଲା ସାଧାରଣ ଲୋକଙ୍କ ମଙ୍ଗଳ ସାଧନ ନିମନ୍ତେ ଦିଲ୍ଲୀକୁ ଆଧୁନିକ ରୂପ ଦେବାପାଇଁ ପାରୁ ପର୍ଯ୍ୟନ୍ତ ଲାଗିଥିଲେ। ଲଗାତାର ୩ଟି କାର୍ଯ୍ୟକାଳରେ ୧୯୯୮ରୁ ୨୦୦୩ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ଶୀଲା ସବୁ କ୍ଷେତ୍ରରେ ବିକାଶ ସାଧନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ସରକାରୀ ଗମନାଗମନ ‌କ୍ଷେତ୍ରରେ ମଧ୍ୟ ସେ ସବୁଜ ସଂସ୍କାର ଆଣିଥିଲେ। ସିଏନ୍‌ଜି ପାୱାର୍‌ ବସ୍‌ ଆରମ୍ଭ କରି ଶୀଲା ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାପାଇଁ ଅଭିଯାନ ଆରମ୍ଭ କରିଥିଲେ। ଦିଲ୍ଲୀରେ ବେଆଇନ ଶିଳ୍ପ ଏବଂ ପ୍ରଦୂଷଣ ସୃଷ୍ଟିକାରୀ ପ୍ରାୟ ୨ ହଜାର ସଂସ୍ଥା ବିରୋଧରେ ଶୀଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦିଲ୍ଲୀ ମେଟ୍ରୋ ପ୍ରକଳ୍ପକୁ ଶୀଲା ତ୍ବରାନ୍ବିତ କରିଥିଲେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ‌ସେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ନୂଆ ରୂପ ‌ଦେବା ପାଇଁ ବ୍ୟାପକ ପ୍ରୟାସ କରିଥିଲେ।