ତେହେରାନ: ତେହେରାନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାର ଶିକାର ହୋଇଥିବା ୟୁକ୍ରେନ୍ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଥିବା ଇରାନ୍ ଆଜି ସ୍ବୀକାର କରିଛି। ଇରାନ୍ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଇରାନ୍ର କ୍ଷେପଣାସ୍ତ୍ର ଭୁଲରେ ବିମାନକୁ ଟାର୍ଗେଟ କରିବାରୁ ବଡ଼ ଅଘଟଣ ଘଟିଗଲା। ଇରାନ୍ ବିଦେଶ ମନ୍ତ୍ରୀ ଏହି ଭୁଲ ପାଇଁ ଆଜି ଦୁଃଖ ପ୍ରକାଶ କରିଛନ୍ତି। ଏହି ବିମାନ ଦୁର୍ଘଟଣାରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଇରାନ୍ର ୮୨ ଜଣ, କାନାଡ଼ାର ୬୩ ଜଣ, ୟୁକ୍ରେନ୍ର ୧୧ ଜଣ ଏବଂ ସ୍ବୀଡେନ୍ର ୧୦ ଜଣ ନାଗରିକ ଥିଲେ। ଦୁର୍ଘଟଣା ପରେ ଇରାନ୍ର ବେପରୁଆ ବୟାନ ଏବଂ ବ୍ଲାକ୍ ବକ୍ସ ନଦେବା ପାଇଁ ଘୋଷଣା ଯୋଗୁଁ ଇରାନ୍ ହିଁ କ୍ଷେପଣାସ୍ତ୍ର ମାଡ଼ କରି ବିମାନକୁ ଖସାଇଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ୮ ଜାନୁଆରିରେ ଏହି ବିମାନ ୟୁକ୍ରେନ୍ର ରାଜଧାନୀ କ୍ବିବ୍ ଯାଉଥିଲା।
ଏହି ମାମଲାରେ ବାରମ୍ବାର ମିଥ୍ୟା ବୟାନ ଦେବା ପରେ ଆଜି ଇରାନ୍ ତା’ର ଭୁଲ୍ ସ୍ବୀକାର କରିଛି ଏବଂ ଏହା ଏକ ମନୁଷ୍ୟକୃତ ତ୍ରୁଟି ଥିଲା ବୋଲି କହିଛି। କମାଣ୍ଡର କ୍ବାସିମ ସୁଲେମାନୀଙ୍କୁ ଆମେରିକା କ୍ଷେପଣାସ୍ତ୍ର ଆକ୍ରମଣ କରି ହତ୍ୟା କରିବା ପରେ ଇରାନ୍ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇରାକ୍ ସ୍ଥିତ ଆମେରିକା ବାୟୁସେନା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ଇରାନ୍ ୧୫ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହି କ୍ଷେପଣାସ୍ତ୍ର ଆକ୍ରମଣ ସମୟରେ ହିଁ ୟୁକ୍ରେନ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଜି ଇରାନ୍ ତା’ର ଭୁଲ୍ ସ୍ବୀକାର କରିବା ପରେ ୟୁକ୍ରେନ୍ ଏବଂ କାନାଡ଼ା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଇରାନ୍ର ଆଚରଣ ଅତ୍ୟନ୍ତ ଅମାନବୀୟ ଏବଂ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଅନ୍ତର୍ଜାତୀୟ ସମୁଦାୟ ଇରାନ୍ର ଦାୟିତ୍ବହୀନ ଆଚରଣ ନେଇ ତଦନ୍ତ କରିବାକୁ ଉଭୟ ରାଷ୍ଟ୍ର ଦାବି କରିଛନ୍ତି।