ଅହମଦାବାଦ: ୨୦୦୨ ମସିହାରେ ଘଟିଥିବା ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାରେ ଗୁଜରାଟ ହାଇକୋର୍ଟ gets life୧୧ ଜଣ ଦୋଷୀଙ୍କୁ ମିଳିଥିବା ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଫଳରେ ଏହି ମାମଲାରେ କୌଣସି ଦୋଷୀ ବ୍ୟକ୍ତିଙ୍କୁ ଆଉ ଫାଶୀଦଣ୍ଡ ମିଳିବ ନାହିଁ। ଏସ୍୍ଆଇଟିର ବିଶେଷ ଅଦାଲତ ପୂର୍ବରୁ ଦେଇଥିବା ରାୟକୁ ଚ୍ୟାଲେଂଜ କରି ହାଇକୋର୍ଟରେ ଅବେଦନ ହୋଇଥିଲା। ୨୦୧୧ରେ ଏସ୍୍ଆଇଟି କୋର୍ଟ ଗୋଧ୍ରା ଟ୍ରେନ୍ ପୋଡ଼ିି ମାମଲାରେ ୧୧ ଜଣଙ୍କୁ ଫାଶୀ ଏବଂ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ ଥିଲେ। କୋର୍ଟ ଏହି ମାମଲାରେ ୬୩ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ୨୦୦୨ ମସିହାରେ ହୋଇଥିବା ଏହି ଘଟଣାର ବିଚାର ପ୍ରକ୍ରିୟାରେ ସେସନ କୋର୍ଟରୁ ଆରମ୍ଭ କରି ସୁପ୍ରିମ୍ କୋର୍ଟ ପର୍ଯ୍ୟନ୍ତ ସାମିଲ ରହିଥିଲେ।
ବିଗତ ୧୫ ବର୍ଷ ଧରି ଚାଲିଥିବା ଏହି ମାମଲା ବିଭିନ୍ନ ମୋଡ଼ ଦେଇ ଗତି କରିଛି। ଜାନୁଆରି ୨୦୦୫ ମସିହାରେ ଗୋଧ୍ରା କାଣ୍ଡର ଯାଞ୍ଚ କରୁଥିବା ୟୁସି ବାନାର୍ଜୀ କମିସନ ପ୍ରାରମ୍ଭିକ ରିପୋର୍ଟରେ କହିଥିଲେ ଗୋଧ୍ରା ରେଳ ଷ୍ଟେସନରେ ସାବରମତୀ ଏକ୍ସପ୍ରେସ୍ର ଏସ୍-୬ କୋଚ୍ରେ ଲାଗିଥିବା ନିଆଁ ଏକ ଦୁର୍ଘଟଣା ଥିଲା। କୌଣସି ବାହାର ବ୍ୟକ୍ତି ଏହି ନିଆଁ ଲଗାଇଥିବା ଅଭିଯୋଗକୁ କମିଟି ଗ୍ରହଣ କରିନଥିଲା। ୧୩ ଅକ୍ଟୋବର ୨୦୦୬ରେ ଗୁଜରାଟ ହାଇକୋର୍ଟ ୟୁସି ବାନାର୍ଜୀ କମିସନଙ୍କ ରିପୋର୍ଟକୁ ଖାରଜ କରିବା ସହ ଏହାକୁ କୌଣସି ସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ ବୋଲି ରାୟରେ କହିଥିଲେ। ଏହାପରେ ୨୦୦୮ରେ ଆଉ ଏକ ତଦନ୍ତ କମିସନ ଗଠନ କରାଯାଇଥିଲା। ନାନାବତୀ କମିସନଙ୍କୁ ଯାଞ୍ଚ ଦାୟିତ୍ୱ ପ୍ରଦାନ କରାଯାଇଥିଲା ଏବଂ କମିସନ ଏହି ଟ୍ରେନ୍ ପୋଡ଼ିକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଦର୍ଶାଇଥିଲେ।
ଏହି ଟ୍ରେନ୍ ପୋଡ଼ିରେ ୫୯ ଜଣ କରସେବକଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଗୋଧ୍ରା କାଣ୍ଡ ନେଇ କୋର୍ଟ ରାୟର ପ୍ରଭାବ ଗୁଜରାଟ ରାଜନୀତିକୁ ଆହୁରି ସରଗରମ କରିବ ବୋଲି କୁହାଯାଉଛି।