ନୂଆଦିଲ୍ଲୀ: ଦେଶରେ ଥିବା ମୋଟ ୫,୦୦୦ରୁ ୬,୦୦୦ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମଧ୍ୟରୁ ମାତ୍ର ୪୦ଟି ଓବିସି ବର୍ଗର ଲୋକେ ଶତକଡ଼ା ୫୦ ପ୍ରତିଶତ ସୁବିଧା ସୁଯୋଗ ହାସଲ କରିଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍ ମୋଟ ଓବିସି ବର୍ଗର ମାତ୍ର ୧ ପ୍ରତିଶତରୁ କମ୍ ଲୋକେ ସଂରକ୍ଷଣ ସୁବିଧାର ୫୦ ପ୍ରତିଶତ ହାସଲ କରୁଛନ୍ତି। ଏମାନେ ସରକାରଙ୍କ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଠାରୁ ଆରମ୍ଭ କରି ନିଯୁକ୍ତି କ୍ଷେତ୍ରର ସମସ୍ତ ସୁବିଧା ସୁଯୋଗ ହାସଲ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଏକ ସ୍ବତନ୍ତ୍ର ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ, ୨୦୧୭ ଅକ୍ଟୋବରରେ ଅନ୍ୟାନ୍ୟ ପଛୁଆ ବର୍ଗର ବିଭିନ୍ନ ଉପ ଶ୍ରେଣୀମାନଙ୍କର ସମୀକ୍ଷା ପାଇଁ ଏକ ସ୍ବତନ୍ତ୍ର ପ୍ୟାନେଲ ଗଠନ କରାଯାଇଥିଲା। ଏଥିରେ ଦେଖାଯାଇଥିଲା, ୨୦୧୪ରୁ ୨୦୧୮ ମଧ୍ୟରେ ୨୦ ପ୍ରତିଶତ ଓବିସି କୌଣସି ସରକାରୀ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି।
ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ସୁଯୋଗ ପାଇବାର ନିୟମ ରହିଛି। ତେବେ ମୋଟ ଓବିସିର ଶତକଡ଼ା ୧ ପ୍ରତିଶତରୁ କମ୍ ହିତାଧିକାରୀ ଏ ସଂରକ୍ଷଣ ସୁବିଧା ସୁଯୋଗ ହାସଲ କରୁଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ଉପ ଶ୍ରେଣୀ ବିଭାଜନ କରିବା ବେଳେ ହଜାର ହଜାର ସଂଖ୍ୟାରେ ଉପଶ୍ରେଣୀ ଚିହ୍ନଟ କରାଯାଇଛି। ମାତ୍ର ଏସବୁ ଉପଶ୍ରେଣୀ କୌଣସି ସରକାରୀ ସୁବିଧା ସୁଯୋଗ ଓ ସଂରକ୍ଷଣ ହାସଲ କରିବାରୁ ବଞ୍ଚିତ ହେଉଛନ୍ତି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୧୯୯୩ରୁ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ ସୁବିଧା ପାଇ ଆସୁଛନ୍ତି। ତେବେ ୨୦୦୬ରୁ ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣର ସୁବିଧା ମିଳି ଆସୁଛି। ମାତ୍ର ଏସବୁ ସଂରକ୍ଷଣ ସୁବିଧା ମୋଟ ଓବିସିର ମାତ୍ର ୧ ପ୍ରତିଶତରୁ କମ୍ ଲୋକେ ହାସଲ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/govt-employee-job-salary.jpg)