ବେଙ୍ଗାଲୁରୁ: ୧୧ ଲକ୍ଷ ଟଙ୍କା ବିନିମୟରେ ଖରିଦ କରିଥିବା ଗୋଟାଏ ‘ଫୋକ୍ସ୍ୱାଗେନ୍ ପୋଲୋ’ କାର୍ ମରାମତି କରିବାକୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଗୋଟାଏ ‘ସର୍ଭିସ୍ ସେଣ୍ଟର୍’ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ‘ଏଷ୍ଟିମେଟ୍’ (ଅଟକଳ) ଦେଇଛନ୍ତି।
ଏଭଳି ବିଡ଼ମ୍ବନା କଥା ‘ଲିଙ୍କ୍ଡ୍ଇନ୍’ରେ ସେୟାର୍ କରି ‘ଆମାଜନ୍’ରେ ପ୍ରଡକ୍ଟ୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଥିବା ଅନିରୁଦ୍ଧ ଗଣେଶ କହିଛନ୍ତି ଯେ, ନିକଟ ଅତୀତରେ ବେଙ୍ଗାଲୁରୁରେ ସଂଘଠିତ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ବୁଡ଼ିଯାଇ ତାଙ୍କ କାର୍ ନଷ୍ଟ ହୋଇଯାଇଥିଲା। ସଜାଡ଼ିବା ପାଇଁ ସେ ଗାଡ଼ିଟିକୁ ହ୍ବାଇଟ୍ଫିଲ୍ଡ୍ସ୍ଥିତ ‘ଫୋକ୍ସ୍ୱାଗେନ୍ ଆପ୍ଲ୍ ଅଟୋ’କୁ ପଠାଇଥିଲେ।
କିନ୍ତୁ, ଉକ୍ତ ‘ସର୍ଭିସ ସେଣ୍ଟର୍’ ୨୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପଠାଇବା ପରେ ଗଣେଶ ବୀମାକାରୀ ‘ଅକୋ’ ସହିତ ଯୋଗାଯୋଗ କଲେ। ସେମାନେ କହିଲେ କି, କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଲେଖି ଦିଆଯାଉ। ତା’ପରେ ସେମାନେ ଯାଇ ‘ସର୍ଭିସ୍ ସେଣ୍ଟର୍’ରୁ ସେଇଟିକୁ ନେଇ ଆସିଲେ।
ମାତ୍ର, କାର୍ଟିକୁ ନେବାକୁ ହେଲେ ଅଗତ୍ୟା ଗଣେଶଙ୍କୁ ୪୪,୮୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ‘ସର୍ଭିସ୍ ସେଣ୍ଟର୍’ କହିଛି। ଏହା ହେଉଛି, କାର୍ର କ’ଣ ନଷ୍ଟ ହୋଇଛି ସେ ବାବଦରେ ପ୍ରସ୍ତୁତ କରାଯାଇଥିବା କାଗଜପତ୍ର ବାବଦ ଖର୍ଚ୍ଚ।
ଗଣେଶ ‘ଫୋକ୍ସ୍ୱାଗେନ୍’କୁ ପୁଣି ଥରେ ଇ-ମେଲ୍ କରିବା ପରେ ମରାମତି ବାବଦକୁ ୫ ହଜାର ଟଙ୍କା ପଡ଼ିବ ବୋଲି କମ୍ପାନି ସ୍ଥିର କରିଛି।