ଅଜବ : ଚାକିରି ପାଇଁ ନୁହେଁ, ବରପାତ୍ର ସାଜିବା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ, ବିଫଳ ହେଲେ ୨୧୯,ଜାଣନ୍ତୁ ପୂରା ଘଟଣା

ଲକ୍ଷ୍ନୌ : ଆପଣମାନେ ଚାକିରି ପାଇଁ ଲୋକମାନଙ୍କୁ ପରୀକ୍ଷା ଦେଉଥିବାର ଦେଖିଥିବେ । କିନ୍ତୁ କେବେ ବିବାହ ପାଇଁ ପରୀକ୍ଷା ଦେବା କଥା ଶୁଣିଥିଲେ କି? ଏଭଳି ଅଜବ ଘଟଣା ଘଟିଛି ଲକ୍ଷ୍ନୌରେ । ଏଠାରେ କୌଣସି ଚାକିରି ପାଇଁ ନୁହେଁ ବରଂ ବିବାହ କରିବା ପାଇଁ ୨୫୦ଜଣ ଯୁବକ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ୨୧୯ଜଣ ବିଫଳ ହୋଇ ଘରକୁ ଫେରିଥିବା ବେଳେ ୩୧ଜଣଙ୍କୁ ବିବାହ ଯୋଗ୍ୟ ବୋଲି ଚୟନ କରାଯାଇଛି।

ଲକ୍ଷ୍ନୌରେ ଥିବା ଓଭରସିଜ୍‌ ସୁପରଭିଜନ ଅର୍‌ଗାନାଇଜେସନ୍‌ରେ ବସବାସ କରୁଥିବା ମହିଳାମାନଙ୍କୁ ବିବାହ କରିବା ପାଇଁ ଏହି ପରୀକ୍ଷା ରଖା ଯାଇଥିଲା । ଆବେଦନକାରୀଙ୍କ ପରୀକ୍ଷା ନେଇଥିଲେ ଜିଲ୍ଲା ପ୍ରଶାସନ । ପରୀକ୍ଷା ଏବଂ ଇଣ୍ଟରଭିୟୁ ସମୟରେ ହିଁ ୨୧୯ଜଣ ବିଫଳ ହେବା ପରେ ୩୧ଜଣ ଆଗକୁ ବଢ଼ିଥିଲେ । ବଛା ଯାଇଥିବା ୩୧ଜଣ ଯୁବକଙ୍କ ବିବାହ ଓଭରସିଜ୍‌ ସୁପରଭିଜନ ଅର୍‌ଗାନାଇଜେସନ୍‌ ପରିସରରେ ନବରାତ୍ରୀ ସମୟରେ ଆୟୋଜିତ କରାଯିବ । ଅକ୍ଟୋବର ୧୫ରେ ବଛା ଯାଇଥିବା ୩୧ଜଣ ଯୁବକଙ୍କୁ ୩୧ଜଣ ଯୁବତୀ ବିବାହ କରିବେ । ବିବାହଟି ମହାନଗର କଲ୍ୟଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି ।

ସମାଜ କଲ୍ୟାଣ ଅଧିକାରୀ କେଏସ୍‌ ମିଶ୍ରଙ୍କ କହିବା ଅନୁଯାୟୀ, ସାମୂହିକ ବିବାହ ପାଇଁ ଅନୁଦାନର ବ୍ୟବସ୍ଥା କରାଯାଉଛି । ବିବାହ କରିବାକୁ ଯାଉଥିବା ସମସ୍ତ ଯୁବତୀଙ୍କ ବ୍ୟାଙ୍କ ଖାତାରେ ୨୦ହଜାର ଟଙ୍କା ଜମା କରାଯିବା ସହ ଘରୋଇ ଜିନିଷ କିଣିବା ପାଇଁ ୧୦ହଜାର ଟଙ୍କା ଦିଆଯିବ । ଏହା ସହ ୫ହଜାର ଟଙ୍କା ବିବାହ ସମାରୋହରେ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ପ୍ରଶାସନର ସହାୟତାରେ ଏହି ବିବାହ ଅନୁଷ୍ଠିତ ହେବ । ଲକ୍ଷ୍ନୌରେ ଥିବା ଓଭରସିଜ୍‌ ସୁପରଭିଜନ ଅର୍‌ଗାନାଇଜେସନ୍‌ରେ ସବୁ ଅନାଥ ଯୁବତୀମାନଙ୍କୁ ରଖା ଯାଇଥାଏ । ଯାହା ପରେ ଉଚିତ୍‌ ବରପାତ୍ର ଦେଖି ସେମାନଙ୍କ ବିବାହ କରାଯାଇଥାଏ ।

ସମ୍ବନ୍ଧିତ ଖବର