ଅଦ୍ଭୁତ କ୍ରିକେଟ ମ୍ୟାଚ : ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗୋଟିଏ ଗାଈ, ସବୁ ଖେଳାଳିଙ୍କୁ ଗୋଟିଏ ଗୋଟିଏ ବାଛୁରୀ ପୁରସ୍କାର

ବରୋଦା: ଆମ ଦେଶରେ କ୍ରିକେଟ ଏକ ଧର୍ମ ବୋଲି କୁହାଯାଏ । ଦେଶର କୋଟି କୋଟି ଲୋକ ଏହି ଖେଳ ପାଇଁ ପାଗଳ । ତେବେ ନିକଟରେ ଗୁଜୁରାଟର ବରୋଦାରେ ହୋଇଥିବା ଏକ କ୍ରିକେଟ ମ୍ୟାଚ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ କ୍ରିକେଟ ମ୍ୟାଚରେ ସେଭଳି କିଛି ଅସ୍ୱାଭାବିକତା ନଥିଲା, ଅସ୍ୱାଭାବିକ ଥିଲା ମ୍ୟାଚର ପୁରସ୍କାର । ଗୋଟିଏ କ୍ରିକେଟ ମ୍ୟାଚ ପରେ ବିଜୟୀ ଦଳକୁ ସାଧାରଣତଃ ଟ୍ରଫି ବା ଅର୍ଥ ପୁରୁସ୍କାର ଦିଆଯାଏ । କିନ୍ତୁ ଏହି ମ୍ୟାଚରେ ଦିଆଯାଇଥିଲା ବିଜୟୀ ଦଳର ମ୍ୟାନ ଅଫ ଦି ମ୍ୟାଚଙ୍କୁ ଏକ ଗାଈ ପୁରସ୍କାର ସ୍ୱରୂପ ଦିଆଯାଇଥିଲା । ଏହା ସହିତ ବିଜୟୀ ଦଳର ପ୍ରତି ଖେଳାଳୀଙ୍କୁ ଗୋଟିଏ ଲେଖାଏଁ ବାଛୁରୀ ପୁରସ୍କାର ସ୍ୱରୂପ ଦିଆଯାଇଥିଲା । ଗୁଜୁରାଟରେ ଥିବା ରାବରୀ ସଂପ୍ରଦାୟରେ ଏହି ମ୍ୟାଚ ହେଉଥିଲା । ଏହି ସଂପ୍ରଦାୟ ମୁଖ୍ୟତଃ ଗୋପାଳକ ଶ୍ରେଣୀର । ସାଧାରଣ ହିନ୍ଦୁଙ୍କ ପରି ଏମାନେ ଗାଈଙ୍କୁ ପୂଜା କରନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ପ୍ରକାଶ ରାବରି କହିଛନ୍ତି ଯେ ଲୋକମାନଙ୍କ ମଧ୍ୟରେ ଗୋ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏପରି ଅଭିନବ ଉଦ୍ୟମ କରାଯାଇଛି । ଖେଳାଳିମାନେ ମଧ୍ୟ ଏପରି ପୁରସ୍କାର ପାଇ ଖୁସି ଥିବା ପ୍ରକାଶ କରିଛନ୍ତି । ରାଜନୈତିକ କାରଣରୁ ଆମ ଦେଶରେ ଗାଈ ଏବେ ଏକ ବିବାଦୀୟ ପଶୁରେ ପରିଣତ ହୋଇଛି । କିନ୍ତୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଗାଈ ଏବେ ବି ପୂଜନୀୟା ହୋଇ ରହିଛି ।

ସମ୍ବନ୍ଧିତ ଖବର