ଅରୁଣାଚଳ ନଦୀରେ କଳାପାଣି; ଚୀନ୍‌କୁ ଦାୟୀ କଲେ ଅଧିକାରୀ

ଗୌହାଟି: ସିଆଙ୍ଗ୍‌ ନଦୀର ପାଣି ହଠାତ୍‌ କଳା ପଡ଼ି ଯିବାରୁ ରାଜ୍ୟରେ ଆତଙ୍କ ଖେଳି ଯାଇଛି। ଶହ ଶହ ବର୍ଷ ହେବ ସିଆଙ୍ଗ୍‌ ନଦୀକୁ ଉତ୍ତର ଅରୁଣାଚଳ ପ୍ରଦେଶର ଜୀବନ ରେଖା ବୋଲି କୁହା ଯାଉଛି।

ସିଆଙ୍ଗ୍‌ର ସ୍ୱଚ୍ଛ ଜଳରେ ବହୁ ପରିମାଣରେ ସିମେଣ୍ଟ୍‌ ମିଶିଥିବାରୁ ତାହା ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଏଥିପାଇଁ ପୂର୍ବ ସିଆଙ୍ଗ୍‌ ଜିଲ୍ଲା କର୍ତ୍ତୃପକ୍ଷମାନେ ସତର୍କତା ଜାରି କରିଛନ୍ତି। ସିମେଣ୍ଟ୍‌ ଭଳି ବହଳ ପଦାର୍ଥ ମିଶିଥିବାରୁ ନଈ ଜଳ କୌଣସି କାମ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ। ଦେଢ଼ ମାସ ହେବ ନଈରେ ବହୁତ ମାଛ ମଲେଣି ବୋଲି କହିଛନ୍ତି ପୂର୍ବ ସିଆଙ୍ଗ୍‌ ଜିଲ୍ଲାର ଡେପୁଟି କମିସନର୍‌ ତମିଓ ତତକ।

ସେ ଆହୁରି କହିଛନ୍ତି: ଗତ ମୌସୁମୀ ଋତୁରେ ନଈ କଳାପଡ଼ି ଯିବାରୁ ଆମେ ଭାବିଲୁ ପଟୁ ଧୋଇ ଆସିଛି। ବହୁ ଦିନ ହେବ ବର୍ଷାଋତୁ ଚାଲି ଗଲାଣି, କିନ୍ତୁ ନଈ ତଥାପି କଳା। ନଭେମ୍ବରରୁ ଫେବ୍ରୁଆରି ଯାଏଁ ନଈପାଣି ସ୍ଫଟିକ ପରି ସ୍ୱଚ୍ଛ ଓ ନିର୍ମଳ ଦିଶେ। ସିଆଙ୍ଗ୍‌ ନଈ ପାଣି ଏମିତି ହେବା କଥା ମୋ ଜେଜେ ବାପା ବି ଶୁଣି ନ ଥିଲେ।

କେନ୍ଦ୍ରୀୟ ଜଳ କମିସନ ପାଣି ନମୁନା ସଂଗ୍ରହ କରିଛନ୍ତି। ଏଥିରେ ଚୀନ୍‌ର ହାତ ଥିବାର ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।

ଚୀନ୍‌ରେ ଥିବା ନଈର ଉପର ମୁଣ୍ଡରେ କିଛି ବଡ଼ ରକମର ସିମେଣ୍ଟ୍‌ କାମ ଚାଲିଲା ପରି ମନେ ହେଉଛି। ଚୀନ୍‌ କୌଣସି ଗଭୀର ଜଳ ବୋରିଙ୍ଗ୍‌ କରୁ ଥାଇ ପାରେ। ନଚେତ ବ୍ରହ୍ମପୁତ୍ର ଭଳି ନଦୀ ଦୁଇ ମାସ ହେବ କଳା ପଡ଼ନ୍ତା କହିଁକି?

ସିଆଙ୍ଗ୍‌ ହେଉଛି ବ୍ରହ୍ମପୁତ୍ରର ମୁଖ୍ୟ ଶାଖା ନଦୀ। ଭାରତକୁ ପ୍ରବେଶ କରିବା ପୂର୍ବରୁ ସିଆଙ୍ଗ୍‌ ଦକ୍ଷିଣ ତିବ୍ଦତ୍‌ରେ ୧୬୦୦ କିଲୋମିଟର୍‌ ପ୍ରବାହିତ ହେଉଛି। ସେଠାରେ ଏହାର ନାମ ୟାର୍‌ଲୁଙ୍ଗ୍‌ ଜାଙ୍ଗୋବ୍‌। ଭାରତରେ ସିଆଙ୍ଗ୍‌କୁ ଦିହାଙ୍ଗ ବୋଲି ମଧ୍ୟ କୁହାଯାଏ।

ସମ୍ବନ୍ଧିତ ଖବର