ଆଇପିଏସ୍‌ଙ୍କ ଘରେ ନିଶାଦ୍ରବ୍ୟ କାରଖାନା, ୧୦୦୦ କୋଟିର ସ୍ୟୁଡୋଫେଡ୍‌ରିନ୍‌ ଜବତ

ନୂଆଦିଲ୍ଲୀ: ନା‌େର୍କାଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ନୋଇଡାର ଗୋଟିଏ କାରଖାନା ଆଗରୁ ୧୮୦୦ କିଲୋ ସ୍ୟୁଡୋଫେଡ୍‌ରିନ୍‌ ଏବଂ ୨ କିଲୋ କୋକେନ୍‌ ଜବତ କରିଛି। ଏହି ନଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୧୦୦୦ କୋଟି ହେବ ବୋଲି ଅନୁମାନ କରାଯାଉଛି। ତେବେ ଏହି କାରଖାନା ଜଣେ ଆଇପିଏସ୍‌ ଅଧିକାରୀଙ୍କ ଘରେ ଚାଲୁଥିବାରୁ ଏହି ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ସୂଚନା ଅନୁଯାୟୀ, ଏନ୍‌ସିବି ମେ’ ୯ରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ ଆଫ୍ରିକୀୟ ମହିଳାଙ୍କଠାରୁ ୨୪.୭ କିଲୋ ସ୍ୟୁଡୋଫେଡ୍‌ରିନ୍‌ ଜବତ କରିଥିଲା। ତାଙ୍କୁ ଜେରା ପରେ ନୋଇଡାର ସେକ୍ଟର-୪ରେ ଥିବା ଏକ ଘର ଉପରେ ଚଢଉ କରାଯାଇଥିଲା। ମେ’ ୧୦ ତାରିଖରେ ହୋଇଥିବା ଚଢଉ ବେଳେ ବିପୁଳମାତ୍ରାର ଏହି ନିଶାଦ୍ରବ୍ୟ ଜବତ ହୋଇଛି। ଏହି ମାମଲାରେ ୨ ଜଣ ନାଇଜେରିଆ ନାଗରିକ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି ଏହି ନିଶାଦ୍ରବ୍ୟ କାରବାର ଜଣେ ଆଇପିଏସ୍‌ ଅଧିକାରୀଙ୍କ ଘରେ ଚାଲୁଥିଲା। ଅଧିକାରୀ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶ ଅର୍ଥନୈତିକ ଅପରାଧ ଶାଖାରେ କାର୍ଯ୍ୟରତ ଆଇପିଏସ୍‌ ଦେବେନ୍ଦ୍ର ପିଏନ୍‌ ପାଣ୍ଡେ। ତାଙ୍କ ଘରକୁ ପାଣ୍ଡେ ଭଡ଼ାରେ ଦେଇଥିଲା ବେଳେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ପରିଚୟ ପୁଲିସ ଦ୍ବାରା ଯାଞ୍ଚ କରାଯାଇନଥିଲା।

ସମ୍ବନ୍ଧିତ ଖବର