ଆକ୍ରମଣର ସଙ୍କେତ ଦେଲା ଉତ୍ତର କୋରିଆ

ରକେଟ୍‌ କେନ୍ଦ୍ରରୁ କ୍ଷେପଣାସ୍ତ୍ର ସ୍ଥାନାନ୍ତର

ସିଓଲ:   ବ୍ୟାପକ ଅନ୍ତର୍ଜାତୀୟ କଟକଣା ସତ୍ତ୍ୱେ ଉତ୍ତର କୋରିଆ ତା’ର ଯୁଦ୍ଧଖୋର ନୀତିକୁ ଆହୁରି ଉଗ୍ର କରିଛି।  ଆମେରିକା ଓ ଜାତିସଂଘର ଚେତାବନୀକୁ ବେଖାତିର କରି ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଉତ୍ତର କୋରିଆ। ରାଜଧାନୀ ପୋଙ୍ଗୟାଙ୍ଗର ସ୍ଥିତ ରକେଟ କେନ୍ଦ୍ରରୁ ଅନେକ କ୍ଷେପଣାସ୍ତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।  ଶକ୍ତିଶାଳୀ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟନ୍ତ ଗୁପ୍ତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ  ଏହା ଆମେରିକା ବିରୋଧରେ ଯୁଦ୍ଧର ସଙ୍କେତ ବୋଲି କୁହାଯାଉଛି । ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁଇନ୍ଦା ସଂସ୍ଥା ମଧ୍ୟ କ୍ଷେପଣାସ୍ତ୍ର ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିବା ସୂଚନା ଦେବାପରେ କୋରିଆ ଉପଦ୍ୱୀପରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଦକ୍ଷିଣ କୋରିଆ  ଏବଂ ଜାପାନ ଉତ୍ତର କୋରିଆର ପଦକ୍ଷେପ ସଂପର୍କରେ ଆଶଙ୍କା କରି  ଦୁଇ ସପ୍ତାହ ପୂର୍ବରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଜାପାନ କ୍ଷେପଣାସ୍ତ୍ର ବିଧ୍ୱଂସି ବ୍ୟବସ୍ଥା ମୁତୟନ କରିଥିବା ବେଳେ ଦକ୍ଷିଣ କୋରିଆକୁ ପୂର୍ଣ୍ଣ ସୁରକ୍ଷା ଦେବାପାଇଁ ଆମେରିକା ଆଶ୍ୱାସନା ଦେଇଛି। ଆମେରିକା ବିଦେଶ ମନ୍ତ୍ରୀ ରେକ୍ସ ଟିଲରସନ କହିଛନ୍ତି ଯେ  ଉତ୍ତର କୋରିଆର ପ୍ରତ୍ୟେକ ସାମରିକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସଂପର୍କରେ ଆମେରିକା ଅବଗତ ଅଛି। ଏ ବାବଦରେ ଉତ୍ତର କୋରିଆ ସରକାର ସହିତ ମଧ୍ୟ ସଂପର୍କ ସ୍ଥାପନ କରି ଆମେରିକା ତା’ର ଆଭିମୁଖ୍ୟ  ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି। ଚୀନ୍‌ ମାଧ୍ୟମରେ ଏହି କଥାବାର୍ତ୍ତା ଚାଲିବ ବୋଲି ଜଣାପଡ଼ିଛି। ଟିଲରସନ କହିଛନ୍ତି ଯେ ଉତ୍ତର କୋରିଆ ଶାସନ କିମ୍‌ ଜଙ୍ଗ୍‌ ଉନ୍‌ ଏବେ ଆତ୍ମଘାତୀ ମିସନ୍‌ରେ ଅଛନ୍ତି। ଟିଲରସନ ଏବେ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବାକୁ ଚୀନ୍‌ ଗସ୍ତରେ ଅଛନ୍ତି।

ଉତ୍ତର କୋରିଆ  ତା’ର ସପ୍ତମ ପରମାଣୁ ପରୀକ୍ଷଣ ପାଇଁ ଗୋଟିଏ ପଟେ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ କ୍ଷେପଣାସ୍ତ୍ର ସ୍ଥାନାନ୍ତର ଆମେରିକା ପାଇଁ ଘୋର ଚିନ୍ତାର କାରଣ ହୋଇଛି । ଉତ୍ତର କୋରିଆର ପଦକ୍ଷେପ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିବ ବୋଲି ଦକ୍ଷିଣ କୋରିଆ ଏବଂ ଜାପାନ ସରକାର କହିଛନ୍ତି।   ଉତ୍ତର କୋରିଆର ସାମରିକ ନୀତିରେ ପରିବର୍ତ୍ତନ ହେବନାହିଁ ଏବଂ ଏହା ନିଜକୁ ସୁରକ୍ଷିତ ରଖିବା ପାଇଁ ଯେ କୌଣସି ସ୍ତରକୁ ଯିବ ବୋଲି କିମ୍‌ ଜଙ୍ଗ୍‌ ଘୋଷଣା କରିଛନ୍ତି। ସରକାରୀ ଗଣମାଧ୍ୟମକୁ ବୟାନ ଦେଇ ନିକଟରେ କିମ୍‌ ଜଙ୍ଗ୍‌  କହିଥିଲେ ଯେ ଜାତିସଂଘରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଦେଇଥିବା ଭାଷଣର ପରିଣାମ ଆମେରିକା ଭୋଗିବ। ଟ୍ରମ୍ପ୍‌ ଜଣେ ହତାଶ ଓ ପାଗଳ ବ୍ୟକ୍ତି ଏବଂ ଉତ୍ତର କୋରିଆକୁ ତାଙ୍କର ଧମକ ମହଙ୍ଗା ପଡ଼ିବ ବୋଲି ସେ କହିଥିଲେ।  ସୂଚନାଯୋଗ୍ୟ ଜାତିସଂଘରେ ଟ୍ରମ୍ପ୍‌ ତାଙ୍କର ପ୍ରଥମ ଉଦ୍‌୍‌ବୋଧନରେ କହିଥିଲେ ଯେ ଉତ୍ତର କୋରିଆ ତା’ର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଲେ ଏବଂ ଆମେରିକା ପାଇଁ ବିପଦ ସୃଷ୍ଟିକଲେ ଏହାକୁ ସମୂଳେ ଧ୍ୱଂସ କରି ଦିଆଯିବ। ଉତ୍ତର କୋରିଆ ନ ସୁଧୁରିଲେ ଏହାକୁ ଧରାପୃଷ୍ଠରୁ ମୂଳପୋଛ କରିବା ବ୍ୟତୀତ ଆମେରିକା ପାଖରେ ଅନ୍ୟ ବିକଳ୍ପ ରହିବ ନାହିଁ ବୋଲି ଟ୍ରମ୍ପ୍‌ ଜାତିସଂଘ ଉଦ୍‌ବୋଧନରେ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର