ଆତଙ୍କବାଦୀ ୟାକୁବ ମେମନର କବରର ସୌନ୍ଦର୍ଯ୍ୟକରଣକୁ ନେଇ ବିବାଦ

ମୁମ୍ବାଇ : ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିବା ୟାକୁବ ମେମନର କବରର ସୌନ୍ଦର୍ଯ୍ୟକରଣକୁ ନେଇ ଏକ ବଡ଼ ବିବାଦ ଛିଡ଼ା ହୋଇଛି । ଏହି କବରରେ ମାର୍ବଲ ପକାଇବା ଓ ଏଲଇଡି ଲାଇଟ୍ ଲଗାଇବା ନେଇ ଗମମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ମହାରାଷ୍ଟ୍ର ସରକାର ସତର୍କ ହୋଇଉଠିଛନ୍ତି । ରାଜ୍ୟ ସରକାର ମୁମ୍ବାଇ ପୁଲିସକୁ ଘଟଣାର ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ବିବାଦ ଉଠିବା ପରେ ତରବରିଆ ଭାବେ ତାହାର ଏଲଇଡି ଲାଇଟ ପ୍ରତ୍ୟାହାର କରିନିଆଯାଇଛି । ଏହା ପୂର୍ବରୁ ଜାମା ମସଜିଦର ସଭାପତି ବଡ଼ କବରସ୍ଥାନର ସୌନ୍ଦର୍ଯ୍ୟକରଣ କଥାକୁ ସ୍ବୀକାର କରିଥିଲେ ବି ସ୍ବତନ୍ତ୍ର ଭାବେ ୟାକୁବର କବରର ସୌନ୍ଦର୍ଯ୍ୟକରଣ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନଥିବା କହିଛନ୍ତି ।

ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଏଥିପାଇଁ ପୂର୍ବର ଉଦ୍ଧବ ଠାକରେ ସରକାର ଅନୁମତି ଦେଇଥିଲେ । ୟାକୁବର କବରକୁ ଏକ ତୀର୍ଥସ୍ଥଳର ପରିଣତ କରାଯାଉଥିବାବେଳେ ଉଦ୍ଧବ କାହିଁକି ନୀରବ ଥିଲେ ବୋଲି ବିଜେପି ପ୍ରଶ୍ନ କରିଛି ।

ସୂଚନାଯୋଗ୍ୟ ଯେ, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନକୁ ୨୦୧୫ରେ ତତକାଳୀୟ କଂଗ୍ରେସ ସରକାର ଅମଳରେ ଫାଶୀ ଦିଆଯାଇଥିଲା ।

 

 

ସମ୍ବନ୍ଧିତ ଖବର