ଆମେରିକାର ‘ଧାର୍ମିକ ସ୍ବାଧୀନତା’ ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ଭାରତର ଜବାବ: ବିଦେଶୀ ରାଷ୍ଟ୍ରର ପ୍ରଶ୍ନ କରିବା ଅଧିକାର ନାହିଁ

ନୂଆଦିଲ୍ଲୀ: ଭାରତରେ ଧାର୍ମିକ ସ୍ବାଧୀନତା ଉପରେ ଆମେରିକାର ଏକ ରିପୋର୍ଟକୁ ନେଇ ଆଜି ଭାରତ କଡ଼ା ପ୍ରତିକ୍ରିୟା ରଖିଛି। ଭାରତରେ ମୁସ୍‌ଲିମଙ୍କ ଉପରେ ଆକ୍ରମଣ ଏବଂ ଧାର୍ମିକ ସ୍ବାଧୀନତାକୁ ନେଇ ଆମେରିକା ବିଦେଶ ବିଭାଗର ବାର୍ଷିକ ରିପୋର୍ଟରେ ମନ୍ତବ୍ୟ ଦିଆଯାଇଥିବାରୁ ଏହା ପକ୍ଷପାତ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି ଭାରତ କହିଛି। କୌଣସି ବିଦେଶୀ ରାଷ୍ଟ୍ରର ଭାରତର ଆଭ୍ୟନ୍ତରୀଣ ମାମଲାରେ ପ୍ରଶ୍ନ କରିବା ଅଧିକାର ନାହିଁ ବୋଲି ଭାରତ ଆମେରିକାକୁ ଶୁଣାଇ ଦେଇଛି। ଭାରତ ତା’ର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଛି ଏବଂ ଏହାର ଧାର୍ମିକ ସ୍ବାଧୀନତା ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଭାରତୀୟ ସମ୍ବିଧାନ ସଂଖ୍ୟାଲଘୁ ସଂପ୍ରଦାୟ ସମେତ ସମସ୍ତଙ୍କ ପାଇଁ ମୌଳିକ ଅଧିକାରର ଗ୍ୟାରେଣ୍ଟି ଦେଇଛି ଏବଂ ଦେଶ ତା’ର ମହାନ ଗଣତାନ୍ତ୍ରିକ ପରମ୍ପରାକୁ ସର୍ବଦା ସୁରକ୍ଷିତ ରଖି ଆସିଛି ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି।

ଭାରତର ଆଭ୍ୟନ୍ତରୀଣ ବ୍ୟବସ୍ଥା ନେଇ କୌଣସି ବାହାର ଦେଶର ସରକାର କିମ୍ବା ସଂସ୍ଥାର ନକରାତ୍ମକ ମନ୍ତବ୍ୟ ଦେବା ଅଧିକାର ନାହିଁ ଏବଂ ଆମେରିକା ଏହା ଭଲଭାବେ ଜାଣି ରଖିବା ଉଚିତ ବୋଲି ଭାରତ କହିଛି। ଆମେରିକାର ରିପୋର୍ଟରେ ଭିଡ଼ ହିଂସା ଏବଂ ଗୋ ରକ୍ଷକଙ୍କ ଦ୍ବାରା ଆକ୍ରମଣ ମାମଲାକୁ ଯେଉଁ ମନ୍ତବ୍ୟ ଦିଆଯାଇଛି ତାହା ଦେଶକୁ ବଦନାମ କରିବାକୁ ଏକ ଅପଚେଷ୍ଟା ବୋଲି ରବିଶ କୁମାର କହିଛନ୍ତି। ଏହି ରିପୋର୍ଟରେ ବିଜେପି ନେତାମାନଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନ ଯୋଗୁଁ ହିଂସା ବ୍ୟାପୁଛି ବୋଲି କୁହାଯାଇଥିବାରୁ ବିଜେପି ମଧ୍ୟ ଏହାର କଡ଼ା ସମାଲୋଚନା କରିଛି। ଆମେରିକା ନିଜ ଦେଶରେ ଘଟୁଥିବା ହିଂସା ଓ ରକ୍ତପାତ ଦିଗରେ ଅଧିକ ଧ୍ୟାନ ଦେଉ ଏବଂ ଅନ୍ୟଦେଶର ଶାନ୍ତି ନଷ୍ଟ କରିବାକୁ ପ୍ରୟାସ ନକରୁ ବୋଲି ବିଜେପି ନେତା ଶାହନୱାଜ ହୁସେନ କହିଛନ୍ତି।

ସମ୍ବନ୍ଧିତ ଖବର