ଆସାମରେ ଭୂସ୍ଖଳନ, ୨୦ ମୃତ

Landslide kills 20 in Assam

ଗୌହାଟୀ: ଆସାମ୍‌ର ବରାକ୍‌ ଭ୍ୟାଲି ଅଞ୍ଚଳର ୩ଟି ଜିଲ୍ଲାରେ ଭୂସ୍ଖଳନ ହୋଇ ୨୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଆହତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ବରାକ୍‌ ଭ୍ୟାଲିର ୩ ଜିଲ୍ଲା ତଥା କରିମଗଂଜ, କଚର ଏବଂ ‌ହୈଲାକଣ୍ଡିରେ ଭୂସ୍ଖଳନ ହୋଇ ମହିଳା ଏବଂ ଶିଶୁଙ୍କ ସମେତ ୩୦ ଜଣ ଜୀବନ୍ତ ପୋତି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ସ୍ପଷ୍ଟ କରିଛି। ଗୁରୁତର ଆହତ ଅବସ୍ଥାରେ ଅନ୍ୟମାନେ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ।

ବାଂଲାଦେଶ ସୀମା ନିକଟସ୍ଥ କରିମଗଂଜ ଜିଲ୍ଲାର କାଲିଗଂଜ ଅଞ୍ଚଳରେ ହୋଇଥିବା ଭୂସ୍ଖଳ‌ନରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ‌ଏମାନଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର। ସେହିପରି ଦ୍ବିତୀୟ ଭୂସ୍ଖଳନ ଆଜି ସକାଳ ୫ଟାରେ କଚର ଜିଲ୍ଲାର କୋଲାପୁର ଗ୍ରାମରେ ହୋଇଛି। ଏଠାରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ମହିଳା ସେମାନଙ୍କ ଘର ତଳେ ପୋତି ହୋଇଯାଇଛନ୍ତି। ତୃତୀୟ ଘଟଣା ହୈଲାକଣ୍ଡି ଜିଲ୍ଲାର ଭଟବଜାର ଗ୍ରାମରେ ଘଟିଛି। ଭୂସ୍ଖଳନ ଯୋଗୁଁ ୭ ଜଣ ଜୀବନ୍ତ ପୋତି ହୋଇ ଯାଇଛନ୍ତି। ମୃତକଙ୍କ ମଧ୍ୟରୁ ୬ ଜଣ ଗୋଟିଏ ପରିବାରର ଏବଂ ଏମାନଙ୍କ ମଧ୍ୟ‌ରେ ୪ ଜଣ ଶିଶୁ ଅଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କୋବିନ୍ଦ ଟ୍ବିଟ୍‌ କରି କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଉତ୍ତରପୂର୍ବ ରାଜ୍ୟ ଆସାମ ଏବେ ବନ୍ୟା ବିପର୍ଯ୍ୟୟ ସହ ମୁକାବିଲା କରୁଛି। ରାଜ୍ୟରେ ବନ୍ୟା ଯୋଗୁଁ ୩.୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର