ଆହ୍ଲାବାଦ୍‌ ଆଇନ ଛାତ୍ର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ୍‌: ଆହ୍ଲାବାଦ୍‌ ଆଇନ ଛାତ୍ର ଦିଲ୍ଲୀପ ସରୋଜ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ପୁଲିସ ସୁଲତାନପୁରରୁ ଗିରଫ କରିଛି। ଗତ ଫେବ୍ରୁଆରି ୯ ତାରିଖରେ ଆହ୍ଲାବାଦ୍‌ ବିଶ୍ୱବିଦ୍ୟାଳୟର ଜଣେ ଦଳିତ ଆଇନ ଛାତ୍ର ଦିଲ୍ଲୀପଙ୍କୁ ଏକ ରେସ୍ତୋରାଁ ବାହାରେ କିଛି ଯୁବଗୋଷ୍ଠୀ ଅତି ନୃସଂଶ ଭାବେ ଲୁହା ଛଡ଼ ଏବଂ ଇଟା ମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏହାର ଠିକ୍‌ ଦୁଇଦିନ ପରେ ସେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଆହ୍ଲାବାଦ୍‌ ବିଶ୍ୱବିଦ୍ୟାଳୟର ଅନ୍ୟ ଦଳିତ ଛାତ୍ରମାନେ ବ୍ୟାପକ ହିଂସାକାଣ୍ଡ ସହ ପୋଡ଼ାଜଳା କରିଥିଲେ। ବିଶୃଙ୍ଖଳାକାରୀମାନେ ଏକ ବସ୍‌ ଜାଳିଦେଇଥିଲେ।

ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଯୋଗୀ ସରକାର ବିଶ୍ୱବିଦ୍ୟାଳୟରୋ ପୁଲିସ୍‌ଙ୍କୁ ମୁତୟନ କରିଛି। ତେବେ ଆଜି ଉକ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ସୁଲତାନ୍‌ପୁରରୁ ଗିରଫ କରିଛି। ବରିଷ୍ଠ ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ଆକାଶ କୁଲ୍‌ହାରିଙ୍କ କହିବା ଅନୁଯାୟୀ ଅଭିିଯୁକ୍ତ ବିଜୟ ଶଙ୍କର ସିଂହ ରେଳ ବିଭାଗରେ ଜଣେ ଟିକେଟ୍‌ ପରୀକ୍ଷକ। ପୁଲିସ ତାକୁ ଖୋଜୁଥିଲେ ମଧ୍ୟ ସେ ପୁଲିସ୍‌କୁ ଚକ୍‌ମା ଦେଇ ଫୈଜାବାଦ୍‌ର ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିଲା। ଶେଷରେ ଆଜି ସେ ପୁଲିସ ହାତରେ ଧରା ପଡ଼ିଛି। ପ୍ରତାପଗଡ଼ ଜିଲ୍ଲାର ଦଳିତ ଛାଜ୍ର ଦିଲ୍ଲୀପଙ୍କର ଗତ ୯ ତାରିଖରେ କିଛି ଯୁବଗୋଷ୍ଠୀଙ୍କ ସହ ଯୁକ୍ତିତର୍କ ହେବାରୁ ସେମାନେ ଦିଲ୍ଲୀପଙ୍କୁ ଲୁହା ଛଡ଼ରେ ପିଟିବା ସହ ଇଟା ମାଡ଼ କରିଥିଲେ। ଏନେଇ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର