ଇଡି ଜେରାବେଳେ ସ୍ବୀକାର କଲେ ପ୍ରଫୁଲ୍ଲ ପଟେଲ: ଇକବାଲ୍‌କୁ ‘ମିର୍‌ଚି’ ବୋଲି ଜାଣି ନଥିଲି

ମୁମ୍ବାଇ: ଇକବଲ ମେମନ୍ ଏବଂ ଇକବଲ୍ ମିର୍‌ଚି ଗୋଟିଏ ଲୋକ ବୋଲି ଏନପିସି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଜାଣି ନଥିଲେ। ଡ୍ରଗ୍ ମାଫିଆ ଇକବଲ୍ ମେମନ ସହିତ ବ୍ୟବସାୟିକ କଥାବାର୍ତ୍ତା ତାଙ୍କର ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ହୋଇଥିଲା ବୋଲି ମଧ୍ୟ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜେରା‌ବେଳେ ସ୍ବୀକାର କରିଛନ୍ତି। ଦାଉଦ୍ ଇବ୍ରାହିମଙ୍କ ଘନିଷ୍ଠ ସହଯୋଗୀର ପରିବାର ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ ବେଳେ ଇଡି ପ୍ରଫୁଲ୍ଲ ପଟେଲଙ୍କୁ ୧୨ ଘଣ୍ଟା ଧରି ପଚରାଉଚୁରା କରିଛି। ପଟେଲ ପରିବାରଙ୍କ ଦ୍ବାରା ପରିଚାଳିତ କମ୍ପାନି ମିଲେନିୟମ ଡେଭଲପର୍ସ ଏବଂ ମିର୍‌ଚି ପରିବାର ମଧ୍ୟରେ ହୋଇଥିବା ରାଜିନାମାର ଖୋଳତାଡ଼ ଇଡି କରୁଛି। ମିର୍‌ଚି ଏବଂ ପଟେଲଙ୍କ ମଧ୍ୟରେ ବ୍ୟବସାୟିକ ରାଜିନାମାରେ ସହଯୋଗ କରିଥିବା ଫାରୁକ୍ ପଟେଲଙ୍କୁ ଏବେ ଇଡି ଖୋଜୁଛି। ମିର୍‌ଚିର ସମ୍ପର୍କୀୟ ମୁକ୍‌ତାର ପଟ୍‌କାଙ୍କୁ ପଚରାଉଚୁରା ବେଳେ ଫାରୁକ୍‌ ନାମ ପଦାକୁ ଆସିଥିଲା। ଇଡି ଅଧିକାରୀଙ୍କ କହିବାନୁଯାୟୀ, ପଟେଲ ପରିବାରର ୱର୍ଲି ଜମିର ଏକ ଅଂଶକୁ ମାଡ଼ିବସି ମିର୍‌ଚି ସେଠାରୁ ଡିସକୋଥେକ୍ ସମେତ ଡ୍ରଗ୍ ସାମ୍ରାଜ୍ୟ ମଧ୍ୟ ଚଳାଉଥିଲା। କିନ୍ତୁ ପରେ ଧରା ପଡ଼ିଯିବା ଭୟରେ ଦେଶଛାଡ଼ି ପଳାଇଥିଲା। ୨୦୧୩ରେ ମିରଚିର ମୃତ୍ୟୁ ଲଣ୍ଡନରେ ହୋଇଥିଲା। ମିର୍‌ଚିର ପତ୍ନୀ ଓ ତାର ଦୁଇ ପୁଅ ମିଲେନିୟମ ଡେଭଲପର୍ସକୁ ହସ୍ତାନ୍ତର କରିଥିବା ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମାମଲାରେ ଇଡି ଅଧିକାରୀମାନେ ପ୍ରଫୁଲ୍ଲଙ୍କର ମୁହାଁମୁହିଁ ଜେରା କରିଥିଲେ।

ସମ୍ବନ୍ଧିତ ଖବର