ଇଦ୍‌ ପରମ୍ପରା ଭାଙ୍ଗିଲେ, ସୀମାରେ ସେନାର

ମିଠା ଦିଆନିଆ ବନ୍ଦ

ଅଟ୍ଟାରି: ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ପାକିସ୍ତାନ ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଛି। ଏକତରଫା ଭାବେ ଗୁଡ଼ାଏ ନିଷ୍ପତ୍ତି ନେଇ ଏହାକୁ କାର୍ଯ୍ୟକାରୀ କରୁଛି। ଠିକ୍‌ ଏହି ଢଙ୍ଗରେ ପାକ୍‌ ରେଞ୍ଜର୍ସମାନେ ଆଜି ଇଦ୍‌ ପରମ୍ପରା ଭାଙ୍ଗି ଭାରତୀୟ ବିଏସଏଫ୍‌ ଯବାନଙ୍କ ଇଦ୍‌ ମିଠା ଗ୍ରହଣ କରିନାହାନ୍ତି। ପରମ୍ପରା ଅନୁଯାୟୀ ଇଦ୍‌‌େର ଭାରତର ବିଏସ୍‌ଏଫ୍‌ ଏବଂ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଦିଆ ନିଆ ସହ ପରସ୍ପର ପରସ୍ପରକୁ ଶୁଭେଚ୍ଛା‌ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଆଜି ଅଟ୍ଟାରୀ-ୱାଘା ସୀମାରେ ମିଠା ଆଦାନ ପ୍ରଦାନ ହୋଇନି। ପାକ୍‌ ‌ରେଞ୍ଜର୍ସ ମିଠା ଗ୍ରହଣ କରିବେନି ବୋଲି ମନା‌ କରିଥିବା ବିଏସଏଫ୍‌ ଡିଆଇଜି ବିଏସ୍‌ ରାୱତ କହିଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନ ପକ୍ଷରୁ ସୀମା ସୁରକ୍ଷା‌ରେ ମୁତୟନ ହୋଇଥିବା‌ ଯବାନଙ୍କ ମଧ୍ୟ‌ରେ ଇଦ୍‌ ଏବଂ ଅନ୍ୟାନ୍ୟ ପର୍ବ ଗୁଡ଼ିକରେ ମିଠା ଦିଆନିଆ ସହ ଶୁଭେଚ୍ଛା‌ ବାର୍ତ୍ତା ଦିଆ‌ଯାଇଥାଏ। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି କାରଣ ପାଇଁ ଉତ୍ତେଜନା ବୃଦ୍ଧି ପାଇଲେ ଏହି କାର୍ଯ୍ୟ ପୂର୍ବରୁ ମଧ୍ୟ ଅନେକ ଥର ବନ୍ଦ ରହିଥିବା‌ ଦୃଷ୍ଟାନ୍ତ ରହିଛି। ଗତ ଜୁନ୍‌ରେ ବିଏସ୍‌ଏଫ୍‌ ପାକ୍‌ ରେଞ୍ଜର୍ସଙ୍କ ଇଦ୍‌ ମିଠା ରଖିନଥିଲା। ପାକ୍‌ ରେଞ୍ଜର୍ସଙ୍କ ଗୁଳିରେ ବିଏସ୍‌ଏଫ୍‌ର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍‌ ରୢାଙ୍କ୍‌ ଅଫିସରଙ୍କ ସମେତ ୪ ଯବାନ ସହିଦ ହେବାରୁ ବିଏସଏଫ୍‌ ପାକ୍‌ ରେଞ୍ଜର୍ସଙ୍କ ମିଠା ରଖିନଥିଲା।

ଓମାର, ଫାରୁକ୍‌ ଓ‌ ମୁଫ୍‌ତିଙ୍କ ବାସଭବନ ଖାଁ ଖାଁ
ଶ୍ରୀନଗର : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ପାଇଁ ଏଥର ଇଦ୍‌ ଉତ୍ସବ ଖୁବ୍‌ ନିଃସଙ୍ଗ ହୋଇପଡ଼ିଛି। ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସବୁବର୍ଷ ଇଦ୍‌ ଉତ୍ସବ‌ରେ ଗହଳି ଲାଗିରହେ। ବନ୍ଧୁ, ସମର୍ଥକ ଏବଂ ପରିବାର ସଦସ୍ୟଙ୍କୁ ନେଇ ଇଦ୍‌ ଉତ୍ସବ ପାଳନ ହୋଇଥାଏ। କିନ୍ତୁ ଏଥର ଏହି ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖ‌ାଁ ଖାଁ। ଏହି ୩ ନେତା ଧାରା ୩୭୦ ଉଚ୍ଛେଦ ନେଇ ଅଟକ ରହିଥିବାରୁ ‌ସେମାନଙ୍କ ପାଇଁ ଏଥର ଇଦ୍‌ ରଙ୍ଗହୀନ ହୋଇଯାଇଛି। ଏହି ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ କେବଳ ସୁରକ୍ଷାକର୍ମୀଙ୍କ ଗାଡ଼ି ଦେଖିବାକୁ ମିଳିଛି। ଫାରୁକ୍‌ ଅବଦୁଲ୍ଲାଙ୍କୁ ତାଙ୍କ ବାସଭବନରେ ଅଟକ ରଖାଯାଇଥିବାବେଳେ ଓମାର ଏବଂ ମେହବୁବା ମୁଫ୍‌ତିଙ୍କୁ ଅନ୍ୟତ୍ର ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର