ଇନ୍ଦୋର ମନ୍ଦିର ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି

ଇନ୍ଦୋର: ମଧ୍ୟପ୍ର‌ଦେଶର ଇନ୍ଦୋରରେ ଗୁରୁବାର ହୋଇଥିବା ମନ୍ଦିର ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଗତକାଲି ଇନ୍ଦୋରର ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିରରେ ଏକ ବିଶାଳ କୂଅର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଲୋକ କୂଅ ଭିତରକୁ ଖସି ପଡ଼ିଥିଲେ। ଏହି ଘଟଣାରେ ଗତକାଲି ୧୪ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଆଜି ମୃତ୍ୟୁସଂଖ୍ୟା‌ ୩୬ରେ ପହଞ୍ଚିଛି। ଆଜି ସକାଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବେଲେଶ୍ବର ମହ‌ାଦେବ ଝୁଲେଲାଲ୍‌ ମନ୍ଦିର ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ସ୍ଥାନୀୟ ଲୋକମାନେ ‘ମୁର୍ଦାବାଦ’ ସ୍ଲୋଗାନ ଦେଇଛନ୍ତି। ୧୬ ଜଣ ଆହତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଚୌହାନ, ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏବଂ ଅନ୍ୟମାନେ ଆଜି ଘଟଣାସ୍ଥଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାଞ୍ଚ କରିଥିଲେ। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ୭୫ ସେନା ସଦସ୍ୟଙ୍କ ସହ ଉଦ୍ଧାର କାର୍ଯ୍ୟ‌ରେ ଏନ୍‌ଡିଆରଏଫ୍‌ ଏବଂ ଏସଡିଆରଏଫ୍‌ ସଦସ୍ୟ ମଧ୍ୟ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ। ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର