ଉତ୍ତର ପୂର୍ବରେ ମୋଦୀଙ୍କୁ ବିରୋଧ କଳାପତାକା ପ୍ରଦର୍ଶନ, ୧୪୪ ଧାରା ଜାରି

ନାଗରିକ ବିଲ୍‌ ନେଇ ଅପପ୍ରଚାର ଚାଲିଛି: ମୋଦୀ

ଗୌହାଟି: ବିବାଦୀୟ ନାଗରିକ ବିଲ୍‌-୨୦୧୬କୁ ନେଇ ଉତ୍ତର ପୂର୍ବାଞ୍ଚଳରେ ଅସନ୍ତୋଷ ଜାରି ରହିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସାମ ଗସ୍ତକୁ ମଧ୍ୟ ବିଭିନ୍ନ ସ୍ଥାନରେ ଜୋର୍‌ଦାର ବିରୋଧ କରାଯାଇଛି। ହଜାର ହଜାର ଜନତା ‘ଗୋ ବ୍ୟାକ୍‌ ମୋଦୀ’ ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କେତେକ ସ୍ଥାନରେ କଳାପତାକା ପ୍ରଦର୍ଶନ ହୋଇଥିଲା। ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରି ଅଣାୟତ୍ତ ସ୍ଥିତି ସୃଷ୍ଟି କରିଥିବାରୁ ଗୌହାଟିରେ ଧାରା ୧୪୪ ଜାରି ହୋଇଥିଲା। ତେବେ ନାଗରିକ ସଂଶୋଧନ ବିଲ୍‌ ନେଇ ବିରୋଧୀ ଦଳଗୁଡ଼ିକ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ଯୋଜନାବଦ୍ଧ ଭାବେ ଲୋକଙ୍କୁ ନାଗରିକ ବିଲ୍‌ ବିରୋଧରେ ମତାଇଛନ୍ତି। କିନ୍ତୁ ଏହି ବିଲ୍‌ ଅସଲରେ ଲୋକଙ୍କ କଲ୍ୟାଣ ପାଇଁ ହିଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି। ଆସାମ ପାଇଁ ନାଗରିକ ସଂଶୋଧନ ବିଲ୍‌ ଏବଂ ଏନ୍‌ଆର୍‌ସି ଅତି ଜରୁରୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳର ଜନତା ଧୀରେ ଧୀରେ ବାସ୍ତବତାକୁ ବୁଝିଲେଣି। ଉତ୍ତର ପୂର୍ବାଞ୍ଚଳ ବାସିନ୍ଦାଙ୍କ ଅଧିକାରର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି। ଆସାମ ଚୁକ୍ତିର ଧାରା ୬କୁ ସଫଳତାର ସହ ଲାଗୁ କରିବା ପାଇଁ ଉଚ୍ଚ କ୍ଷମତାପନ୍ନ କମିଟି ଗୃହ ମନ୍ତ୍ରାଳୟ ଦ୍ବାରା ଗଠନ ହୋଇଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ। ଆସାମର ଜନସାଧାରଣଙ୍କ ସାମ୍ବିଧାନିକ ଓ ପ୍ରଶସନିକ ଅଧିକାରର ସୁରକ୍ଷା, ସାମାଜିକ ନ୍ୟାୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଏନ୍‌ଡିଏ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଅନ୍ୟ ପକ୍ଷରେ ବିଗତ ୩୦ ବର୍ଷ ଧରି ଏହି ମାମଲାରେ କଂଗ୍ରେସ କାହିଁକି କିଛି କରିନଥିଲା ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର