ଏଆଇଏଡିଏମ୍‌କେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା: ଖଣ୍ଡପୀଠ ବିଭାଜିତ

ଚନ୍ନାଇ: ତାମିଲନାଡୁ ବିଧାନସଭାରେ ୧୮ ଜଣ ଏଆଇଏଡିଏମ୍‌କେ ବିଧାୟକ ଅଯୋଗ୍ୟ ଘୋଷିତ ହେବା ମାମଲାରେ ଆଜି ମାଡ୍ରାସ ହାଇକୋର୍ଟ ଦୀର୍ଘ ୫ ମାସ ପରେ ତାଙ୍କ ରାୟ ଦେଇଛନ୍ତି। ତେବେ ଏହି ମାମଲାରେ ଖଣ୍ଡପୀଠର ରାୟ ବିଭାଜିତ ରହିଥିବାରୁ ଏହି ବିଧାୟକଙ୍କୁ ଅଯୋଗ୍ୟ କରାଯିବା ନିଷ୍ପତ୍ତି ଅନ୍ୟ ଆଦେଶ ପର୍ଯ୍ୟନ୍ତ କାଏମ ରହିବ ବୋଲି ଜଣାପଡ଼ିଛି। ତୃତୀୟ ବିଚାରପତି ମାମଲାର ଶୁଣାଣି କରିବେ ବୋଲି ନିଷ୍ପତ୍ତି ହୋଇଛି । ଆଜି ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ବିଚସ୍ପତି ପି.ଧନପାଲଙ୍କ ନିଷ୍ପତ୍ତିକୁ କାଏମ ରଖି ବିଧାୟକଙ୍କୁ ଅଯୋଗ୍ୟ ସିଦ୍ଧ ବୋଲି କହିଥିଲେ। କିନ୍ତୁ ଅନ୍ୟତମ ବିଚାରପତି ଏମ ସୁନ୍ଦର ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହି ମାମଲାର ବିଚାର କରୁଥିବା ଦୁଇ ବିଚାରପତିଙ୍କ ମତ ପାର୍ଥକ୍ୟ ଦେଖାଦେବାରୁ ତୃତୀୟ ବିଚାରପତି ଜଷ୍ଟିସ୍‌ ହୁଲୁଭାଦୀ ରମେଶ ଏହି ମାମଲାର ବିଚାର କରିବେ ବୋଲି କୋର୍ଟ କହିଥିଲେ। ତେବେ ଅନ୍ତିମ ରାୟ ନଆସିବା ପର୍ଯ୍ୟନ୍ତ ବିଧାନସଭାରେ କୌଣସି ସଂଖ୍ୟା ଗରିଷ୍ଠତା ପ୍ରମାଣ ହେବନାହିଁ କିମ୍ବା କୌଣସି ଉପ ନିର୍ବାଚନ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଟିଟିଭି ଦିନାକରନଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏହି ୧୮ ଜଣ ଏଆଇଏଡିଏମକେ ଅସନ୍ତୁଷ୍ଟ ବିଧାୟକଙ୍କ୍‌ୁ ବାଚସ୍ପତି ପି.ଧନପାଲ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଦିନାକରନ କହିଛନ୍ତି ଯେ, ମୁଖ୍ୟ ବିଚାରପତି ପଣ୍ଡିଚେରୀ ଓ ତାମିଲନାଡୁ ମାମଲାରେ କିଭଳି ଭିନ୍ନ ଭିନ୍ନ ରାୟ ଦେଉଛନ୍ତି ତାହା ଭଗବାନଙ୍କୁ ଜଣା। ଅପରପକ୍ଷେ, କୋର୍ଟଙ୍କ ଏହି ରାୟ ପରେ ଶାସକ ଏଆଇଏଡିଏମକେକୁ ଆଶ୍ୱସ୍ତି ମିଳିଛି। କାରଣ କୋର୍ଟ ଆଜି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା କିମ୍ବା ଉପ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର ଭାଙ୍ଗିଯିବା ଭଳି ପରିସ୍ଥିତି ଉପୁଜିଥାନ୍ତା। ପରବର୍ତ୍ତୀ ରାୟକୁ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ବେଳେ ଏହି ରାୟ ଉପରେ ହିଁ ସରକାରଙ୍କ ଭାଗ୍ୟ ନିର୍ଭର କରୁଛି।

ସମ୍ବନ୍ଧିତ ଖବର