ଏନ୍‌ପିଆର୍‌ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ, ଜନଗଣନାରେ ନିୟୋଜିତ ହେବେ ୩୦ ଲକ୍ଷ କର୍ମଚାରୀ

ତଥ୍ୟ ସଂକଳନ ଲାଗି ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌

ନୂଆଦିଲ୍ଲୀ: ଦେଶରେ ୨୦୨୧ ଜନଗଣନା ଏବଂ ଜାତୀୟ ଜନସଂଖ୍ୟା ପଂଜିକା (ଏନ୍‌ପିଆର୍‌)କୁ ସଂଶୋଧନ କରିବା ପାଇଁ ଏନ୍‌ଡିଏ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନ୍‌ପିଆର୍‌କୁ ନେଇ କେତେକ ରାଜ୍ୟର ବିରୋଧ ସତ୍ତ୍ବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଂଜୁର କରିଛନ୍ତି। ଭାରତୀୟ ଜନଗଣନା ସାରା ଦେଶରେ ହେବାକୁ ଥିବା ଏନ୍‌ପିଆର୍‌ କେବଳ ଆସାମକୁ ବାଦ ଦେଇ ଦେଶର ଅନ୍ୟସ୍ଥାନରେ କାର୍ଯ୍ୟକାରୀ ହେବ। ଜାତୀୟ ଗୁରୁତ୍ବ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ ୨୦୧୧ରେ ୨୮ ଲକ୍ଷ କ୍ଷେତ୍ର କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଚଳିତ ଥର ୩୦ ଲକ୍ଷ କର୍ମଚାରୀ ନିୟୋଜିତ ହେବେ। ତଥ୍ୟ ସଂଗ୍ରହ ପାଇଁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ ଏବଂ କେନ୍ଦ୍ରୀୟ ପୋର୍ଟାଲ ବ୍ୟବହାର କରାଯିବ। ଏହା ମାଧ୍ୟମରେ ଧାର୍ଯ୍ୟ ମାନକ ଅନୁରୂପ ସମସ୍ତ ଜରୁରି ସୂଚନା ତୁରନ୍ତ ଉପଲବ୍ଧ ହୋଇପାରିବ।

ଏନ୍‌ପିଆର୍‌ର ଉଦ୍ଦେଶ୍ୟ କ’ଣ?
ଭାରତରେ ବାସ କରୁଥିବା ପ୍ରତି ନାଗରିକଙ୍କ ସମ୍ପର୍କରେ ଏକ ବିସ୍ତୃତ ପରିଚୟ ଥାଇ ଡାଟାବେସ୍‌ ପ୍ରସ୍ତୁତ କରିବା ଏନ୍‌ପିଆର୍‌ର ମୂଳ ଲକ୍ଷ୍ୟ। ଏହି ଡାଟାବେସ୍‌ରେ ଦେଶର ଜନସଂଖ୍ୟା ସମ୍ପର୍କିତ ଟିକିନିଖି ତଥ୍ୟ, ବାୟୋମେଟ୍ରିକ୍‌ ତଥ୍ୟ, ଆଧାର, ମୋବାଇଲ ନମ୍ବର, ପ୍ୟାନ୍‌, ଡ୍ରାଇଭିଂ ଲାଇସେନ୍‌ସ, ଭୋଟର ପରିଚୟପତ୍ର, ଭାରତୀୟ ପାସପୋର୍ଟ ନମ୍ବର ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବ।

ଏନ୍‌ପିଆର୍ କ’ଣ?
ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ହେଉଛି ଭାରତରେ ବସବାସ କରୁଥିବା ସାଧାରଣ ବାସିନ୍ଦାଙ୍କ ସମ୍ପର୍କରେ ଏକ ତଥ୍ୟଭିତ୍ତିକ ପଞ୍ଜିକା। ନାଗରିକତା ଆଇନ୍‌-୧୯୫୫ ଏବଂ ନାଗରିକତା ନିୟମ-୨୦୦୩ ଅନୁସାରେ, ଗାଁ, ଛୋଟ ଓ ବଡ଼ ସହର, ଉପଖଣ୍ଡ, ଜିଲ୍ଲା, ରାଜ୍ୟ ଏବଂ ସମଗ୍ର ଦେଶରେ ବାସ କରୁଥିବା ସାଧାରଣ ଜନତାଙ୍କ ସମ୍ପର୍କରେ ଏନ୍‌ପିଆର୍‌ରେ ସମସ୍ତ ତଥ୍ୟ ସାମିଲ୍‌ କରାଯିବ। ପ୍ରତି ଭାରତୀୟଙ୍କ ପାଇଁ ଏନ୍‌ପିଆର୍‌ ବାଧ୍ୟତାମୂଳକ।

ଏନ୍‌ପିଆର୍‌ର ବର୍ତ୍ତମାନ ସ୍ଥିତି କ’ଣ?
୨୦୧୦ ମସିହାରେ ପ୍ରଥମେ ମନମୋହନ ସିଂହଙ୍କ ସରକାର ସମୟରେ ଏନ୍‌ପିଆର୍‌ ଲାଗୁ ହୋଇଥିଲା। ୨୦୧୫ରେ ଘରକୁ ଘର ବୁଲି ଏ ବାବଦ ତଥ୍ୟ ସଂଗ୍ରହ କରାଯାଇଥିଲା। ତେବେ ୨୦୨୧ ଜନଗଣନାକୁ ଦୃଷ୍ଟିରେ ରଖି ୨୦୨୦ ଏପ୍ରିଲ୍‌ରୁ ଏନ୍‌ପିଆର୍‌ ଅପ୍‌ଡେଟିଂ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଏହା ୨୦୨୦ ସେପ୍‌ଟେମ୍ବର ଯାଏ ଚାଲିବ। କେବଳ ଆସାମ ବ୍ୟତୀତ ଏନ୍‌ପିଆର୍‌ ଅପ୍‌ଡେଟିଂ ଦେଶର ସମସ୍ତ ରାଜ୍ୟରେ କରାଯିବ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍‌ ନୋଟିଫିକେସନ୍‌ ମଧ୍ୟ ପ୍ରକାଶ ପାଇ ସାରିଛି।

ଜନସଂଖ୍ୟା ସମ୍ବଳିତ କେଉଁ ତଥ୍ୟ ଏଥିରେ ସାମିଲ୍‌ ହେବ?
ଏନ୍‌ପିଆର୍‌ରେ ଗୋଟିଏ ପରିବାରର ମୁଖ୍ୟଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କ ନାମ, ପରିବାରର ସଦସ୍ୟ ସଂଖ୍ୟା, ପିତାଙ୍କ ନାମ, ମାତାଙ୍କ ନାମ, ସ୍ବାମୀ-ସ୍ତ୍ରୀଙ୍କ ନାମ (ଯଦି ବିବାହିତ), ଲିଙ୍ଗ, ଜନ୍ମ ତାରିଖ, ବୈବାହିକ ସ୍ଥିତି, ଜନ୍ମ ସ୍ଥାନ, ଜାତୀୟତା, ବର୍ତ୍ତମାନର ଠିକଣା, ସ୍ଥାୟୀ ଠିକଣା, ବୃତ୍ତି, କାର୍ଯ୍ୟକଳାପ ଆଦି ସମ୍ପର୍କରେ ସୂଚନା ରହିବ।

କେଉଁ ରାଜ୍ୟ ଏନ୍‌ପିଆର୍‌ରୁ ବାଦ ପଡ଼ିବ?
ପଶ୍ଚିମବଙ୍ଗ ସରକାର ଏନ୍‌ପିଆର୍‌ର ନୂତନ ରୂପରେଖ ଓ ପ୍ରସ୍ତୁତି କାର୍ଯ୍ୟ ନେଇ କୌଣସି ସହଯୋଗ କରିନାହିଁ। ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ପଶ୍ଚିମବଙ୍ଗ ସରକାର ଏନ୍‌ପିଆର୍‌କୁ ମଧ୍ୟ ବିରୋଧ କରିଛି। ଏଣୁ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ସେହିଭଳି କେରଳ ଓ ରାଜସ୍ଥାନ ସରକାର ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନ୍‌ପିଆର୍‌ ପାଇଁ କାର୍ଯ୍ୟ କରିବାକୁ ସେମାନେ ବାଧ୍ୟ ନୁହଁନ୍ତି ବୋଲି ଏ ଦୁଇ ରାଜ୍ୟ ସରକାର କହିଛନ୍ତି। ଆସାମ ମଧ୍ୟ ଏନ୍‌ପିଆର୍‌ରୁ ବାଦ ପଡ଼ିବ।

ସମ୍ବନ୍ଧିତ ଖବର