ଏନ୍‌ସିପି ନେତ୍ରୀଙ୍କୁ ଗୋଇଠା ମାରି ଅଡ଼ୁଆରେ ବିଧାୟକ

କଡ଼ା ସମାଲୋଚନା ପରେ ଭୁଲ୍‌ ମାଗିଲେ

ଅହମଦାବାଦ୍‌: ଗୁଜରାଟରେ ଜଣେ ବିଜେପି ବିଧାୟକ ବିଚ୍‌ ରାସ୍ତାଉପରେ ଜଣେ ଏନ୍‌ସିପି ନେତ୍ରୀଙ୍କୁ ମାଡ଼ପିଟ କରିବା ସହ ଗୋଇଠା ମାରିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମିଳିଥିବା ସୂଚନାନୁଯାୟୀ ଅହମଦାବାଦ୍‌ର ନାରୋଡ଼ାରେ ଜଳ ଯୋଗାଣ ସଂକ୍ରାନ୍ତିୟ ସମସ୍ୟା ବିରୋଧରେ ସ୍ବର ଉତ୍ତୋଳନ କରି ଏନ୍‌ସିପି ନେତ୍ରୀ ନିତୁ ତେଜୱାନୀ ବିଜେପି ବିଧାୟକ ବଳରାମ ଥାୱାନିଙ୍କୁ ସାକ୍ଷାତ କରିଥିଲେ। କିନ୍ତୁ ବଳରାମ୍‌ ଏନ୍‌ସିପି ନେତ୍ରୀଙ୍କୁ ମାଡ଼ପିଟ କରିବା ସହ ଗୋଇଠା ମାରିବା ଖୁବ୍‌ ଲଜ୍ଜାଜନକ ବିଷୟ ହୋଇଛି। ବଳରାମ ପ୍ରଥମେ ନିଜର ସୁରକ୍ଷା ପାଇଁ ଏନ୍‌ସିପି ନେତ୍ରୀଙ୍କୁ ମାଡ଼ ମାରିଥିବା କଥା କହିଥିଲେ ସୁଦ୍ଧା ପରେ ନିଜର ଅମାନବୀୟ ଆଚରଣ ପାଇଁ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବାପରେ ସେ ‌ଏନ୍‌ସିପି ନେତ୍ରୀଙ୍କୁ ମାଡ଼ପିଟ କରିଥିବା ସ୍ବୀକାର କରିଛନ୍ତି ଏବଂ ଏନେଇ ତାଙ୍କୁ ଭୁଲ୍‌ ମାଗିଛନ୍ତି। ବଳରାମ କହିଛନ୍ତି ଏନ୍‌ସିପି ନେତ୍ରୀଙ୍କ ସହ ତାଙ୍କର ଯେଉଁ ଭୁଲ୍‌ ବୁଝାମଣା ଥିଲା ତା’ର ସମାଧାନ ହୋଇଯାଇଛି ଏବଂ ନିତୁ ତେଜ୍ବାନି ତାଙ୍କ ସାନ ଭଉଣୀ ଭଳି। ‌ନିତୁ ମଧ୍ୟ ବଳରାମଙ୍କ ପାଖରେ ବସି ତାଙ୍କ ହାତରେ ରାଖି ବାନ୍ଧିଥିବାର ଦୃଶ୍ୟ ଆଜି ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ଦେଖିବାକୁ ମିଳିଛି। ବଳରାମ ତାଙ୍କ ଭୁଲ୍‌ ପାଇଁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଗତ ୨୨ ବର୍ଷ ଧରି ସେ ରାଜନୀତିରେ ସଂଶ୍ଳିଷ୍ଟ ଥିଲେ କିନ୍ତୁ କେବେହେଲେ ତାଙ୍କ ଦ୍ବାରା ଏମିତି ଭୁଲ୍‌ ହୋଇନଥିଲା। ଆଗକୁ ନିତୁଙ୍କର କୌଣସି ଅସୁବିଧା ହେଲେ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର