ଏବେ ଆତଙ୍କବାଦୀଙ୍କ ବିଚାରଧାରାକୁ ଟାର୍ଗେଟ୍‌, ପାକିସ୍ତାନ ବିରୋଧରେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ କହିଲେ ଡୋଭାଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବା ସମଗ୍ର ବିଶ୍ବ ଜାଣିଛି। ଏହା ପାକିସ୍ତାନର ନୀତି ପାଲଟିଛି ଏବଂ ଲଗାତାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ପାଣ୍ଠି ଯୋଗାଉଛି। ଏ ପର୍ଯ୍ୟନ୍ତ ଆମେ କେବଳ ଆତଙ୍କବାଦୀଙ୍କୁ ନିପାତ କରୁଛୁ, ଏଥର ସେମାନଙ୍କ ବିଚାରଧାରା ଉପରେ ମଧ୍ୟ ପ୍ରହାର ହେବା ଆବଶ୍ୟକ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ଆତଙ୍କବାଦୀ କାର୍ଯ୍ୟଳାପରେ ପାକିସ୍ତାନର ଭୂମିକା ନେଇ ଆହୁରି ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ ବୋଲି ଡୋଭାଲ ଆଜି ଏନ୍‌ଆଇଏ ଦ୍ବାରା ପରିଚାଳିତ ଆତଙ୍କବାଦ ନିରୋଧ ଦଳ ଏବଂ ବିଭିନ୍ନ ରାଜ୍ୟ ପୁଲିସର ଏସଟିଏଫ୍‌ ମୁଖ୍ୟମାନଙ୍କ ସମ୍ମିଳନୀରେ କହିଛନ୍ତି। ଡୋଭାଲ୍‌ କହିଛନ୍ତି, ପାକିସ୍ତାନ ‌ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ନେଇ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ଏ ଦିଗରେ ଆହୁରି ବ୍ୟାପକ ତଥ୍ୟ ସଂଗ୍ରହ କରିବାକୁ ହେବ। ଏବେ ଆତଙ୍କବାଦୀଙ୍କ ବିଚାରଧାରା ଉପରେ ମଧ୍ୟ ପ୍ରହାର କରିବା ସମୟ ଆସିଯାଇଛି ବୋଲି ସେ କହିଛନ୍ତି। ଏଫ୍‌ଏଟିଏଫ୍‌ର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ କିଛି ଉପର ଠାଉରିଆ ପଦକ୍ଷେପ ନେଇ ବିଭ୍ରାନ୍ତି ସୃଷ୍ଟି କରିଛି। ତେବେ ଏ ସଂପର୍କରେ ମଧ୍ୟ ବିଶ୍ବ ସମୁଦାୟ ଅବଗତ ଅଛି ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ‌ଯୋଗାଣ ମାମଲାରେ ଏନ୍‌ଆଇଏ ତଦନ୍ତରୁ ମିଳିଥିବା ସଫଳତା ପାଇଁ ଭାରତର ସ୍ଥିତି ସୁଦୃଢ଼ ହୋଇଛି।

ସମ୍ବନ୍ଧିତ ଖବର