ଏବେ ମୁଁ ହୃଦୟରୁ କହୁଛି, ସନ୍ଧ୍ୟାରେ ମସ୍ତିଷ୍କରୁ କହିବି: ମୁଖ୍ୟବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର

ନୂଆଦିଲ୍ଲୀ: ବର୍ତ୍ତମାନ ମୁଁ ହୃଦୟରୁ କହୁଛି, କିନ୍ତୁ ସନ୍ଧ୍ୟାରେ ମସ୍ତିଷ୍କରୁ କହିବି- ସୁପ୍ରିମ୍‌କୋର୍ଟରେ ନିଜର ଶେଷ କାର୍ଯ୍ୟଦିବସରେ ଏପରି ଏକ ମନ୍ତବ୍ୟ ରଖିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର। ଅକ୍ଟୋବରର ୨ରେ ଶେଷ ହେଉଛି ଜଷ୍ଟିସ୍‌ ମିଶ୍ରଙ୍କ କାର୍ଯ୍ୟକାଳ। ଗାନ୍ଧି ଜୟନ୍ତୀ ହେତୁ ୨ ତାରିଖରେ ବନ୍ଦ ରହିବ ସୁପ୍ରିମକୋର୍ଟ। ଏଣୁ ସୋମବାର ଥିଲା ଦେଶର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଶେଷ କୋର୍ଟ। ପରବର୍ତ୍ତୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ ଏ.ଏମ୍‌.ଖାନଓ୍ଵିଲ୍‌କରଙ୍କ ସହ ୨୫ ମିନିଟ୍‌ ଲାଗି କୋର୍ଟରେ ବସିଥିଲେ ଜଷ୍ଟିସ୍‌ ମିଶ୍ର। ଏହି ସମୟରେ ଜନୈକ ଆଇନଜୀବୀ ନିଜର ଆବେଗ ପ୍ରକାଶ କରି ଜଷ୍ଟିସ୍‌ ମିଶ୍ରଙ୍କ ଉଦ୍ଦେଶ୍ୟରେ ଲୋକପ୍ରିୟ ହିନ୍ଦୀ ଫିଲ୍ମ ଗୀତ ‘ତୁମ ଜିଓ ହଜାରୋଁ ସାଲ୍‌…’ ଗାଇବା ଆରମ୍ଭ କରିଥିଲେ।

ଏହି ସମୟରେ ସଂପୃକ୍ତ ଆଇନଜୀବୀଙ୍କୁ ଗୀତ ଗାଇବାରୁ କ୍ଷାନ୍ତ କରାଇଥିଲେ ଜଷ୍ଟିସ ମିଶ୍ର। ଏଥିସହ ସେ କହିଥିଲେ,‘ଏବେ ମୁଁ ମୋ ହୃଦୟରୁ ଭାବ ପ୍ରକାଶ କରୁଛି,କିନ୍ତୁ ସଂଧ୍ୟାରେ ମସ୍ତିଷ୍କରୁ କହିବି।’ ଆଜିର ୨୫ ମିନିଟିର କୋର୍ଟରେ ଜଷ୍ଟିସ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର କରିବେ ନାହିଁ ବୋଲି ଜଣାଇ ଦେଇଥିଲେ। ଏଥିସହ ମନ୍ତବ୍ୟ ଦେଇଥିଲେ କି ଏହା ପରେ ବିଚାର ଲାଗି ଯେଉଁ ଗୁରୁତ୍ୱପୂର୍ଣ୍ଣ ମାମଲା ଆସିବ ତାହା ଅକ୍ଟୋବର ୩ ତାରିଖ ଦିନ ପରବର୍ତ୍ତୀ ମୁଖ୍ୟ ବିଚାର ପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ବେଞ୍ଚରେ ବିଚାର କରାଯିବ।

ସମ୍ବନ୍ଧିତ ଖବର