କରୋନାରୁ ରକ୍ଷା ପାଇବା ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ପରାମର୍ଶ

ନୂଆଦିଲ୍ଲୀ : ଯେଉଁ ଦେଶରେ କରୋନା ହୋଇଛି କିମ୍ବା ଯେଉଁମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଯଦି ଜର, କାଶ ଆଦି ହୁଏ ତାହେଲେ ସେମାନେ ଏହି ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଥାଏ। ତେଣୁ କରୋନା ହୋଇଥିବା ଦେଶରୁ ଆସିଥିଲେ କିମ୍ବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ଶରୀରର ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ଗୁଲେରିଆ କହିଛନ୍ତି, ଲୋକମାନେ ଅଧିକ ସଂଖ୍ୟାରେ ଏକାଠି ହେଉଥିବା ଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିବା ଆବଶ୍ୟକ। କାରଣ ଏକାଠି ହୋଇଥିବା ଲୋକଙ୍କ ମଧ୍ୟରୁ ଯଦି କାହାରିଠାରେ କରୋନା ଭୂତାଣୁ ରହିଥାଏ ତାହା ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ଥାଏ। ସେହିଭଳି ଗରମ ଦିନରେ କରୋନା ହେବ ନାହିଁ ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ। ତେବେ ଗରମ ଦିନରେ ଏହାର ସଂକ୍ରମଣ ମାତ୍ରା ହ୍ରାସ ପାଇଥାଏ। ତେଣୁ ଲୋକମାନେ ଭୟଭୀତ ନହୋଇ କରୋନାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଏମ୍‌ସ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର