କରୋନା ଟିକା ଆସି ନପାରେ, ସନ୍ଦେହ ବ୍ୟକ୍ତକଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

The World Health Organization (WHO) has warned that the vaccine may not be available

ଲଣ୍ତନ: କରୋନାଭୂତାଣୁର ମୁକାବିଲା ପାଇଁ ଆବଶ୍ୟକ ପ୍ରତିଷେଧକ ଟିକା କିମ୍ବା ସମୟୋପଯୋଗୀ ଚିକିତ୍ସା ପଦ୍ଧତି ବାହାର କରିବା ପାଇଁ ବିଶ୍ବ ତମାମ ଉଦ୍ୟମ ଜାରି ରହିଛି। ଏପରିକି କିଛି ରାଷ୍ଟ୍ରରେ ପ୍ଲାଜ୍‌ମା ଚିକିତ୍ସାର ଉପଯୋଗ କି ହାଇଡ୍ରକ୍ସିକ୍ଲୋରୋକ୍ବିନ୍ ଔଷଧକୁ ଉପଚାର ଭାବେ ଗ୍ରହଣ କରି ତଦନୁସାରେ ପରୀକ୍ଷାନିରୀକ୍ଷା ମଧ୍ୟ ଚାଲୁ ରହିଛି। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ୧୦୦ରୁ ଅଧିକ ସମ୍ଭାବ୍ୟ କରୋନା ଟିକାର ନୈଦାନିକ ପରୀକ୍ଷଣ ଚାଲିଛି। କିଛି ସ୍ଥାନରେ ଏ ପ୍ରକାର ପାଖାପାଖି ୮ଟି ଟିକାର ବ୍ୟାବହାରିକ ପରୀକ୍ଷଣ ମଧ୍ୟ ଆରମ୍ଭ ହୋଇଯାଇଛି। ମାତ୍ର ଏ ପ୍ରସଙ୍ଗରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଟିଓ)ର କରୋନାଭୂତାଣୁ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି। ନିକଟ ଭବିଷ୍ୟତରେ କି କେବେ ମଧ୍ୟ କୋଭିଡ୍–୧୯ ପାଇଁ ସଫଳ ସାବ୍ୟସ୍ତ ହେଲା ଭଳି ଟିକା ବାହାର କରିବା ସମ୍ଭବପର ନୁହେଁ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଚ୍ଆଇଭି ଏବଂ ଡେଙ୍ଗୁ ପରି ମହାମାରୀ ଆବିର୍ଭାବର ଦୀର୍ଘ ବର୍ଷ ପରେ ମଧ୍ୟ ଏଯାଏ ବୈଜ୍ଞାନିକମାନେ ନାନା ଗବେଷଣା ଚଳାଇ ଆବଶ୍ୟକ ଟିକା ବାହାର କରିପାରି ନଥିବାରୁ ଡବ୍‌ଲ୍ୟୁଏଚ୍‌ଓର ବିଶେଷଜ୍ଞମାନେ କରୋନା କ୍ଷେତ୍ରରେ ମଧ୍ୟ ଅନୁରୂପ ନିରାଶା ପୋଷଣ କରିଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କୋଭିଡ୍–୧୯ ସ୍ବତନ୍ତ୍ର ପ୍ରତିନିଧି ଡା. ଡେଭିଡ୍ ନାବାରୋଙ୍କ ମତରେ ଏମିତି ତ ଅନେକ ଭୂତାଣୁ ପାଇଁ ଏଯାଏ ଟିକା ଆଦୌ ବାହାରିପାରିନାହିଁ। ଯଦି ବା କେବେ ବାହାରିପାରିଲା, ତାହା ଯେ ଆଶାନୁରୂପ ଫଳପ୍ରଦ ଏବଂ ନିରାପଦ ହୋଇପାରିବ ବୋଲି ଏବେଠୁ କହିହେବନାହିଁ। ଏ ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଆଶାକୁ ଢେର୍ ଶୀର୍ଷରେ ପହଞ୍ଚାଇ ପୁଣି ଧୂଳିସାତ୍ କରିବା ସାର ହେବ। କାରଣ ବିଗତ ୪ ଦଶନ୍ଧି ଭିତରେ ୩୨ ନିୟୁତରୁ ଅଧିକ ଜୀବନହାନିର କାରଣ ସାଜିଥିବା ମହାମାରୀ ଏଚ୍ଆଇଭି ପାଇଁ ଉପଯୁକ୍ତ ଟିକାଟିଏ ଅଦ୍ୟାବଧି ବାହାରିପାରିନାହିଁ। ସେହିପରି ମାତ୍ର ଗୋଟିଏ ବର୍ଷରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରୁଥିବା ଡେଙ୍ଗୁ ଜ୍ବର ପାଇଁ ମଧ୍ୟ ସାଧାରଣ ବ୍ୟବହାରଯୋଗ୍ୟ ଟିକାଟିଏ ଆସିପାରିନାହିଁ। ଅବଶ୍ୟ ଯେଉଁ କେତୋଟି ଦେଶରେ ଡେଙ୍ଗୁ ଟିକାର ପ୍ରୟୋଗ ଚାଲିଛି ବୋଲି କୁହାଯାଉଛି, ସେଠାରେ କେବଳ ୯ ବର୍ଷରୁ ୪୫ ବର୍ଷ ଯାଏ ବୟସ୍କମାନଙ୍କୁ ତାହା ଦିଆଯାଉଛି। ଏପରିକି ଆଦୌ ଡେଙ୍ଗୁ ହୋଇନଥିବା ଲୋକଙ୍କୁ ତାହା ଦିଆଯିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳି ରହିଛି। ଅପରପକ୍ଷେ, ଆମେରିକାର ରୋଗ ଓ ନିବାରଣ ନିୟନ୍ତ୍ରଣ କେନ୍ଦ୍ର(ସିଡିସି) ପକ୍ଷରୁ ପ୍ରସ୍ତୁତ ଡେଙ୍ଗୁ ଟିକା ‘ସାନୋଫି ପାଶ୍ଚର’ ସମ୍ପର୍କରେ କଡ଼ା ସୂଚନା ରହିଛି ଯେ ଆଗରୁ ମୋଟେ ଡେଙ୍ଗୁ ଦ୍ବାରା ଆକ୍ରାନ୍ତ ହୋଇନଥିବା ବ୍ୟକ୍ତି ଏହି ଟିକା ନେଲା ପରେ ଯଦି ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡି଼ବ। ସୁତରାଂ ଏହି କରୋନାଭୂତାଣୁ କ୍ଷେତ୍ରରେ କେହି ଯଦି ଅମୁକ ସମୟ ଭିତରେ ଟିକା ଆଣିପାରିବାକୁ ଦାବି କରୁଛି, ତାହା କଳ୍ପନା ମାତ୍ର ବୋଲି ଡା. ନାବାରୋ କହିଛନ୍ତି।

ସମ୍ବନ୍ଧିତ ଖବର