କର୍ପୋରେଟ୍‌ ଜଗତର ବଜେଟ୍‌ ପ୍ରତିକ୍ରିୟା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଆଜି ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ୍‌ରେ ଉଦାରୀକରଣ ଏବଂ ସଂସ୍କାର ଉପରେ ଅଧିକ ଗୁରୁତ୍ବାରୋପ କରିଛନ୍ତି। ଅର୍ଥମନ୍ତ୍ରୀ ଉଦ୍ୟେଗ ଜଗତର ଅନେକ ପୁରୁଣା ଦାବି ପୂରଣ କରିବା ସହ କମ୍ପାନିମାନଙ୍କ ପାଇଁ ‘ଲାଭାଂଶ ବିତରଣ କର ବ୍ୟବସ୍ଥା’ର ପରିସମାପ୍ତି ପାଇଁ ଘୋଷଣା କରିଛନ୍ତି। ଚଳିତ ବଜେଟ୍‌ ନେଇ ଉଦ୍ୟେଗ ‌ଜଗତର ପ୍ରତିକ୍ରିୟା

ପେଟିଏମ୍‌ର ଡେପୁଟି ସିଏଫଓ ବିକାଶ ଗର୍ଗ କହିଛନ୍ତି ଯେ ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଦିଗରେ ଏହି ବଜେଟ୍‌ ଏକ ବଡ଼ ପଦକ୍ଷେପ । ସରକାର ଡାଟା ସେଣ୍ଟର ପାର୍କ ସ୍ଥାପନ ଦିଗରେ ଯେଉଁ ବଡ଼ ଯୋଜନା କରିଛନ୍ତି ତାହାକୁ ଆମେ ସ୍ବାଗତ କରୁଛୁ ବୋଲି ସେ କହିଛନ୍ତି।

ଓଏଲ୍‌ଏକ୍ସ ଅଟୋ ଇଣ୍ଡିଆର ଉପସଭାପତି ସନି କଟାରିଆ କହିଛନ୍ତି ଯେ ସରକାର ଗ୍ରାମୀଣ ଅଂଚଳରେ ଆୟ ବୃଦ୍ଧି ଦିଗରେ ବ୍ୟାପକ ପଦକ୍ଷେପ ନେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କୃଷି ସଂପର୍କିତ ଯାନ ଏବଂ ଗ୍ରାମୀଣ ଜନତାଙ୍କ ସୁହାଇବା ଭଳି ଯାନ ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଭିଭୋ ଇଣ୍ଡିଆର ନିପୁନ ମାରିୟା ବଜେଟ୍‌କୁ ସବୁ ଦିଗରୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି। ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ଦେଇ ସରକାର ଅର୍ଥନୀତିକୁ ସୁଦୃଢ଼ କରିବାକୁ ପ୍ରୟାସ କରିଛନ୍ତି।

ସିସ୍‌କା ନିର୍ଦ୍ଦେଶକ ରାଜେଶ ଉତ୍ତମଚନ୍ଦାନି କହିଛନ୍ତି, ଆମେ ବଜେଟ୍‌କୁ ସ୍ବାଗତ କରୁଛୁ ଏବଂ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦନକୁ ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହା ଦେଶର ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବ ବୋଲି ଆଶା ରଖିଛୁ। ସରକାରଙ୍କ ସ୍ମାର୍ଟ ସିଟି ମିସନ ମଧ୍ୟ ଏ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

କୋଟାକ୍‌ ମହିନ୍ଦ୍ରା ସିଇଓ ନିଲେଶ ଶାହ କହିଛନ୍ତି, ଏହି ବଜେଟ୍‌ରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଶେଷ ପଦକ୍ଷେପ ରହିଛି। ଯୋଜନା ଏବଂ କାର୍ଯ୍ୟାନ୍ବୟନ ମଧ୍ୟରେ ସମୟସୀମା ସ୍ଥିର ହେବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ।

ଏମ୍‌ଜି ମୋଟର ଇଣ୍ଡିଆ ସଭାପତି ରାଜୀବ ଛାବା କହିଛନ୍ତି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ବଜେଟ୍‌ରେ ଧ୍ୟାନ ଦିଆଯିବା ସହ ଲୋକଙ୍କ ଆଶା ପୂରଣ ଦିଗରେ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଟିକସ ବ୍ୟବସ୍ଥାରେ ସଂସ୍କାର ମେକ୍‌ ଇନ୍‌ ଇଣ୍ଡିଆକୁ ମଧ୍ୟ ନୂଆ ପର୍ଯ୍ୟାୟକୁ ନେବ।

ଆପୋଲୋ ହସ୍ପିଟାଲ ଗ୍ରୁପ୍‌ ଅଧ୍ୟକ୍ଷ ପ୍ରତାପ ରେଡ୍ଡି କହିଛନ୍ତି ଏହା ଏକ ଦୂରଦୃଷ୍ଟି ସଂପନ୍ନ ବଜେଟ୍‌ ଏବଂ ଲୋକଙ୍କ ଜୀବନଧାରଣର ମାନରେ ଏହା ଉନ୍ନତି ଆଣିବ। ଦେଶରେ ନିଯୁକ୍ତି କ୍ଷେତ୍ରକୁ ଏହା ବିସ୍ତାରିତ କରିବ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ପ୍ରୋତ୍ସାହନ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର