କଶ୍ମୀର : ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ସ୍ଥାନୀୟ ଯୁବକଙ୍କ ସଂଖ୍ୟା ହ୍ରାସ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବକ ଯୋଗ ଦେବା ଘଟଣାରେ ଉଲ୍ଲେଖନୀୟ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୯ ଅଗଷ୍ଟ ପୂର୍ବରୁ ମାସକୁ ହାରାହାରି ୧୪ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ପାକ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବାବେଳେ ଅଗଷ୍ଟ ପରେ ତାହା ୫କୁ ଖସିଆସିଛି ବୋଲି ସେନା ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ପୂର୍ବରୁ କୌଣସି ଆତଙ୍କବାଦୀ ସୁରକ୍ଷାବଳ ଦ୍ୱାରା ନିହତ ହେବା ପରେ ତାହାର ଅନ୍ତିମ ଯାତ୍ରାରେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଲୋକ ଯୋଗ ଦେଉଥିଲେ ।ଏଠାରୁ ହିଁ ଅଧିକ ଯୁବକ ଆତଙ୍କବାଦୀ ହେବାକୁ ଅନୁପ୍ରାଣିତ ହେଉଥିଲେ । କିନ୍ତୁ ଘାଟିରୁ ଧାରା ୩୭୦ ଉଠିବା ପରେ ଏପରି ଅନ୍ତିମ ସଂସ୍କାର ସଭାରେ ହାତଗଣତି କିଛି ଲୋକ ଯୋଗ ଦେଉଛନ୍ତି ।
କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଓବଦୁଲ୍ଲା, ଓମର ଅବଦୁଲ୍ଲା ଓ ମେହେବୁବା ମୁଫତି । ଏହା ସହିତ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର