କଶ୍ମୀର ଘାଟିରେ ଏବେ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି : ପୁଲିସ

ଶ୍ରୀନଗର : ସେନାର ନିୟମିତ ଅପରେସନ ସତ୍ତ୍ବେ କଶ୍ମୀର ଘାଟିରେ ଏବେ ବି ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୀମା ସେପଟେ ଥିବା ଲଞ୍ଚ୍ ପ୍ୟାଡରେ ଆଉ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି  ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶର ଉଦ୍ୟମ ଜାରି ରହିଛି । କିନ୍ତୁ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଭାରତୀୟ ସୁରକ୍ଷା ବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗତ ବର୍ଷ ପରି ଏବର୍ଷ ମଧ୍ୟ ଆତଙ୍କବାଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବ ।

ଆସନ୍ତା ଜୁନ ୨୮ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ ଏହି ଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୁଏ ସେଥିଲାଗି ପୁଲିସ ସବୁପ୍ରକାରର ପ୍ରସ୍ତୁତି କରିବ ।

କିଛିଦିନ ତଳେ ଏକ ଗୁଇନ୍ଦା ରିପୋର୍ଟ ଆସିଥିଲା ଯେ ପ୍ରାୟ ୮୦ ଜଣ ଆତଙ୍କବାଦୀ ଖାଇବର ପଖତୁନଖ୍ବାବାଠାରେ ଥିବା ଗାରି ହବିବୁଲ୍ଲା ଆତଙ୍କବାଦୀ ତାଲିମ କ୍ୟାମ୍ପରେ ଗତ ଜାନୁଆରି ଶେଷ ସପ୍ତାହରୁ ତାଲିମ ନେଉଛନ୍ତି । ତାଲିମ ଶେଷ ହେବା ପରେ ସେମାନଙ୍କୁ ଭାରତକୁ ଅନୁପ୍ରବେଶ ପାଇଁ ପଠାଯିବ ।

ସମ୍ବନ୍ଧିତ ଖବର