କାନାଡ଼ାସ୍ଥିତ ଭାରତୀୟ ରେସ୍ତୋରାଁରେ ଆଇଇଡି ବିସ୍ଫୋରଣ ଯୋଗୁଁ ୧୫ ଆହତ; ୨ ସନ୍ଦିଗ୍ଧ ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ: ଟରୋଣ୍ଟୋ ନିକଟରେ ଥିବା ଏକ ଭାରତୀୟ ରେସ୍ତୋରାଁରେ ଦୁଇ ଜଣ ସନ୍ଦିଗ୍ଧ ବିସ୍ଫୋରଣ ଘଟାଇ ଫେରାର ହୋଇଯିବା ପରେ ଅନ୍ୟୂନ ୧୫ ଜଣ ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ ଟୁଇଟ୍‌ କରିଛି। ଇମ୍ପ୍ରୋଭାଇଜ୍‌ଟ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌ ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଇଥିବା କଥା ପୁଲିସ କହୁଛି।

ଓଣ୍ଟାରିଓ ଅନ୍ତର୍ଗତ ମିସିସାଗୁଆ ଠାରେ ଥିବା ଏକ ସପିଙ୍ଗ୍‌ ପ୍ଲାଜା ମଧ୍ୟସ୍ଥ ‘ବମ୍ବେ ଭେଲ୍‌’ରେ ବିସ୍ଫୋରଣ ଘଟିଛି। ପିଲ୍‌ ରିଜନ୍‌ ପୁଲିସ କହିଛି, ଘଟଣାସ୍ଥଳକୁ ଦୁଇ ସନ୍ଦିଗ୍ଧ ଆସି ବିସ୍ଫୋରକକୁ ଫୁଟାଇବା ପରେ ସେଠାରୁ ଖସି ଯାଇଛନ୍ତି।

ବିସ୍ଫୋରଣଜନିତ ସାଙ୍ଘାତିକ ଆଘାତ ପ୍ରାପ୍ତ ତିନି ଜଣଙ୍କୁ ତୁରନ୍ତ ଟ୍ରମା କେୟାର୍‌ ସେଣ୍ଟର୍‌କୁ ନିଆଯାଇଛି। ଅନ୍ୟ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ବୋଲି କୁହାଯାଉଛି।

ବିସ୍ଫୋରଣ ପରେ ପରେ ଦୁଇ ଜଣ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଜଣେ ୫ ଫୁଟ୍‌ ୧୦ ଇଞ୍ଚ୍‌ ଡେଙ୍ଗା ବ୍ୟକ୍ତି। ବୟସ ୨୦ ହୋଇପାରେ। ଗୌରବର୍ଣ୍ଣ, ସୁଗଠିତ ଚେହେରା, ଗାଢ଼ନୀଳ ଜିନ୍‌ସ୍‌ ଏବଂ ମୁଣ୍ଡରେ କଳା ଜିପ୍‌ ଅପ୍‌ ହୁଡି, ଧୁସୁରିଆ ବେସ୍‌ବଲ୍‌ ଟୋପି ପିନ୍ଧିବା ସହ ମୁହଁରେ ସେ ବ୍ୟକ୍ତି ଜଣକ କଳା କପଡ଼ା ବାନ୍ଧିଥିଲେ।

ରାତି ସାଢ଼େ ଦଶଟା ପରେ ହୁରୋଣ୍ଟାରିଓ ସେଣ୍ଟ୍‌ ଏବଂ ଏଲିଙ୍ଗ୍‌ଟନ୍‌ ଆଭି ନିକଟରେ ବିସ୍ଫୋରଣ ଘଟିଥିବାର ସୂଚନା ପାଇଥିଲା ବୋଲି ପୁଲିସ କହିଛି।

ବିସ୍ଫୋରଣ ବେଳେ ରେସ୍ତୋରାଁରେ କେତେ ଲୋକ ଥିଲେ ତାହା ହଠାତ୍‌ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର