କାହିଁକି ହେଲା ଏତେବଡ଼ ଦୁର୍ଘଟଣା ? ଘଟଣା ପଛରେ ମାନବୀୟ ତ୍ରୁଟି କି ?

ଭୁବନେଶ୍ବର : ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥ​ଳ ପରିଦର୍ଶନ କରିଛନ୍ତି । ବାଲେଶ୍ବର ହସପିଟାଲରେ ଆହତମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ମୋଦୀ କହିଛନ୍ତି ଯେ ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ସେମାନଙ୍କୁ ଆଦୌ ଛଡ଼ାଯିବ ନାହିଁ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୋଦୀଙ୍କ ଏହି ବୟାନ ପରେ ଏହି ଦୁର୍ଘଟଣା ପଛରେ ମାନବୀୟ ତ୍ରୁଟି କିମ୍ବା ଅବହେଳା ଯୋଗୁଁ ଏତେବଡ଼ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମ୍ଭାବ୍ୟ କାରଣ ସିଗନାଲ ଫେଲ୍ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାର ପ୍ରକୃତ ଦୋଷୀ କିଏ? ଏ ସଂକ୍ରାନ୍ତରେ ତଦନ୍ତ ମଧ୍ୟ ଜାରି ରହିଛି ।

ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି ଓ ତଦନ୍ତ ରିପୋର୍ଟରେ ପ୍ରକୃତ କାରଣ ଜଣାପଡ଼ିବ । କିନ୍ତୁ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାୟ ୧୨୬ କିଲୋମିଟର ବେଗରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ନିଜ ଟ୍ରାକରେ ସିଧା ଯିବା ବଦଳରେ ମାଲଗାଡ଼ି ଛିଡ଼ା ହୋଇଥିବା ଟ୍ରାକକୁ ବୁଲିଥିଲା ଓ ପ୍ରବଳ ବେଗରେ ମାଡ଼ ହୋଇଥିଲା । ଏହା ପରେ ବଗି ଗୁଡ଼ିକ ଯାଇ ଅନ୍ୟ ଟ୍ରାକରେ ଯାଉଥିବା ଏମ. ବିଶ୍ବେଶ୍ବରୟା ଟର୍ମିନାଲ-ହାଓ୍ବଡ଼ା ଏକ୍ସପ୍ରେସ ଉପରେ ପଡ଼ିଥିଲା । ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିଲା ।

ଏଠାରେ ପ୍ରଶ୍ନ ଉଠେ କାହିଁକି କରମଣ୍ଡଳ ନିଜ ଟ୍ରାକ୍ ଛାଡ଼ି ମାଲଗାଡ଼ି ଥିବା ଟ୍ରାକ ଆଡ଼କୁ ଗତି କରିଥିଲା ? ଏହା ସିଗନାଲିଂରେ ତ୍ରୁଟି ଥିଲା କି ?

 

ସମ୍ବନ୍ଧିତ ଖବର